ଓଡିଆ ନବବର୍ଷରେ ‘ନୂଆଦିଲ୍ଲୀ ବିଷୁବ ଆସର’

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ପାଳିତ ହୋଇଛି। ଏହି ଅବସରରେ ବିଶ୍ଵର ବିଭିନ୍ନ କୋଣରେ ବସବାସ କରୁଥିବା ସାରସ୍ଵତ ସାଧକମାନେ ‘ନୂଆଦିଲ୍ଲୀ ବିଷୁବ ଆସର’ ସହିତ ଅନଲାଇନରେ ସାମିଲ ହୋଇଥିଲେ।

ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ପଣା କବିତା ଗପସପ’ ଶୀର୍ଷକ ଏହି ସାହିତ୍ୟ ଆସରରେ ବିଶିଷ୍ଠ କବୟତ୍ରୀ ତଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ସମ୍ମାନିତ ସାହିତ୍ୟିକ ଡଃ ପ୍ରତିଭା ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡିଆ ଜନଜୀବନରେ ବିଷୁବ ସଂକ୍ରାନ୍ତିର ଗୁରୁତ୍ଵ ବିଷୟରେ ସେ ବକ୍ତବ୍ୟ ରଖିବା ସହିତ ଏହି ଦିନଟି କିପରି ପ୍ରତ୍ୟକ ଓଡିଆ ସାହିତ୍ୟିକଙ୍କ ଜୀବନକୁ ପ୍ରଭାବିତ କରିଥାଏ ତାହା ବର୍ଣ୍ଣନା କରିଥିଲେ। ବିଷୁବ ମିଳନ ପ୍ରତ୍ୟକ ସାହିତ୍ୟିକଙ୍କ ଏକ ଅପେକ୍ଷିତ ଦିନ ବୋଲି ପୂର୍ବତ୍ତନ ବୈଦେଶିକ ସଚିବ ତଥା ଆନ୍ତର୍ଜାତୀୟ କ୍ଷାତି ସମ୍ପନ୍ନ କବି ଅମରେନ୍ଦ୍ର ଖଟୁଆ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଥିଲେ। ଉଭୟ ଅତିଥି ସ୍ଵରଚିତ କବିତା ପାଠକରିବା ସହିତ ଦି ଇଣ୍ଟେଲେକ୍ଟସର ଏହି ପ୍ରୟାସକୁ ସାଧୁବାଦ ଜଣାଇ ଥିଲେ।

ଏହି ସାରସ୍ଵତ ଆସରରେ ବିଶ୍ଵର ବିଭିନ୍ନ ଦେଶରୁ ସାରସ୍ଵତ ସାଧକମାନେ ଯୋଗଦେଇ ତାଙ୍କର ସ୍ଵରଚିତ କବିତା ପାଠ କରିଥିଲେ। ଓଡିଶାରୁ ଯୁବ ସାହିତ୍ୟିକ ପରମବ୍ରହ୍ମ ତ୍ରିପାଠୀ, କାନାଡାରୁ କବୟତ୍ରୀ ସୁନନ୍ଦା ମିଶ୍ର ପଣ୍ଡା ଓ ମାଲେସିୟାରୁ ଯୁବ କବୟତ୍ରୀ ବୀଣାପାଣି ପ୍ରଧାନଙ୍କ ସଂଯୋଜନାରେ ଏହି ମନମୁଗଧକର ସାହିତ୍ୟ ଆସରରେ ଅନେକ ପ୍ରବୀଣ ତଥା ନବୀନ ସାହିତ୍ୟିକ ଯୋଗଦେଇ ଥିଲେ। ସେମାନଙ୍କ ମଧ୍ୟରେ ବ୍ୟଙ୍ଗକବି ସତ୍ୟାନାଶ, କବି ବିରଜା ମହାପାତ୍ର, ଶିଶୁ ସାହିତ୍ୟିକ ଅରୁଣ ପଣ୍ଡା, ପ୍ରଶାନ୍ତ ଭୂୟାଁ, ସୁସ୍ମିତା ପଟ୍ଟନାୟକ, ଡଃ ପଦାରବିନ୍ଦ ରଥ, ଡଃ ଜୟଶ୍ରୀ ନନ୍ଦ, ଡଃ ମିନତୀ ପ୍ରଧାନ, ତାପସ ରାଜ, ଦିଲୀପ ପଣ୍ଡା, ସୁଜିତ ପଣ୍ଡା, ଆଶିଷ ମିଶ୍ର, ସଂଘମିତ୍ରା ମିଶ୍ର, ନିକିଲେଶ ମିଶ୍ର, ଦେବବ୍ରତ ଜେନା, ଶ୍ରାବଣୀ ପଟ୍ଟନାୟକ, ଯୟଦରଥ ସୁନା, ଗାୟତ୍ରୀ ସିଂ, ଶ୍ରୀସିକ୍ତା ନାୟକ, ସୁକାନ୍ତ ପ୍ରଧାନ, ସୌରଭ ରଞ୍ଜନ ମହାପାତ୍ର, ରଶ୍ମୀ ରେଖା ତ୍ରିପାଠୀ, କୌଶିକ ଲେଙ୍କା, ଦୁର୍ଗେଶ ନନ୍ଦିନୀ ପ୍ରମୁଖ ଅଟନ୍ତି।

ଏହାବ୍ୟତୀତ ଇଂଲଣ୍ଡ, କାନାଡା, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନ, ଜାପାନ, ମାଲୟେସିଆ, କତାର, ସିଙ୍ଗାପୁର, କୁଏତ, ଅଷ୍ଟ୍ରେଲିଆ ତଥା ଅନ୍ୟାନ ଦେଶ ସମେତ ବାଙ୍ଗାଲୁର, କୋଲକୋତା, ମୁମ୍ବାଇ, ଲୁଧିଆନା, ନୂଆଦିଲ୍ଲୀ, ସୁରତ, ତଥା ଦେଶର ଅନ୍ୟାନ ସହରର ସାହିତ୍ୟିକମାନେ ଏହି ଆସରରେ ଭାଗନେଇ ଥିଲେ। ଓଡ଼ିଶାର ପ୍ରତ୍ୟକ ଜିଲ୍ଲାରୁ ଅନେକ ସୁପ୍ରସିଦ୍ଧ ସାହିତ୍ୟିକ ଯୋଗଦେଇ ପଣା କବିତା ଗପସପ ଆସରକୁ ଉପଭୋଗ କରିଥିଲେ। କରୋନ କାଳରେ ସାରା ବିଶ୍ଵକୁ ଗୋଟିଏ ସୂତ୍ରରେ ବାନ୍ଧିବାକୁ ପ୍ରୟାସ କରି ଓଡିଆ ସ୍ଵାଭିମାନକୁ ଆହୁରି ସଶକ୍ତ କରିବା ସହିତ ମାତୃଭାଷା ପ୍ରତି ଆଗାମୀ ପିଢୀଙ୍କ ମନରେ ପ୍ରତିବଦ୍ଧତା ବୃଦ୍ଧି ପାଇଁ ଦି ଇଣ୍ଟେଲେକ୍ଟସ କାମ କରୁଛି ବୋଲି ଅଧ୍ୟକ୍ଷ ଶ୍ରୀ ରାଉତ କହିଥିଲେ। ମାତୃଭାଷାକୁ ଆଗାମୀ ପିଢୀ ଭଲପାଇଲେ ସେମାନଙ୍କ ପୂର୍ଣ୍ଣାଙ୍ଗ ବିକାଶ ହେବ ବୋଲି ମତ ଦେଇଥିଲେ। ସମସ୍ତ ନିମନ୍ତ୍ରିତ ଅତିଥି ଓ ସାହିତ୍ୟିକମାନଙ୍କୁ ସମ୍ପାଦକ ଶ୍ୟାମାନୁଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button