ଓଟିଟି ପ୍ଲାଟଫର୍ମ ଓ ସୋଶାଲ ମିଡିଆ ଗାଇଡଲାଇନ ପ୍ରଭାବହୀନ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ନିକଟରେ ଓଟିଟି ଫ୍ଲାଟଫର୍ମ ଓ ସୋଶାଲ ମିଡିଆର ଅପବ୍ୟବହାର ରୋକବା ପାଇଁ ଗାଇଡଲାଇନ ଜାରି କରିଥିଲେ। ଏହାକୁ ମୂଲ୍ୟହୀନ ଓ ଏହାର କୌଣସି ପ୍ରଭାବ ପଡ଼ି ନପାରେ ବୋଲି ଆଜି କହିଛନ୍ତି ସୁପ୍ରିମକୋର୍ଟ। ଏଥିସହ ପରାମର୍ଶ ଦେଇଛନ୍ତି କଠୋର ନିୟମ ଓ ବ୍ୟବସ୍ଥା ଉପରେ ଧ୍ୟାନ ଦିଅ।

କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ସମୀକ୍ଷା କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ସମସ୍ୟା ସହ ଲଢ଼ିବାକୁ ଏସବୁ ଗାଇଡଲାଇନ ପାଖରେ କୌଣସି କ୍ଷମତାନାହିଁ। ଏହା କେବଳ ଗୋଟିଏ ଚିରାଚରିତ ଗାଇଡଲାଇନ ଭଳି ଦୃଶ୍ୟମାନ ହେଉଛି। ନିୟମକୁ ନ ମାନୁଥିବା ଲୋକଙ୍କୁ ବିଚାର ପରିସର ଭୁକ୍ତ କରିବାକୁ ଗାଇଡଲାଇନରେ ବ୍ୟବସ୍ଥା ହେବା ଦରକାର। ସଲିସେଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କୋର୍ଟ ସୋଶାଲ ମିଡିଆ ଓ ଓଟିଟି ପ୍ଲାଟଫର୍ମର କଣ୍ଟେଣ୍ଟ ନିର୍ଦ୍ଧାରଣ କରିବାକୁ ବିଧେୟକ ଆଣିବାକୁ ପରାମର୍ଶ ଦେଇଛନ୍ତି।

କୋର୍ଟଙ୍କ କଥାରେ ଏକମତ ହୋଇ ସଲିସେଟର ଜେନେରାଲ ମେହେଟ୍ଟା କହିଛନ୍ତି ସରକାର କଠୋର ଆଇନ ପ୍ରଣୟନ କରିବାକୁ ବିଚାର କରୁଛନ୍ତି। ଆଇନର ଡ୍ରାଫ୍ଟ ଖୁବଶୀଘ୍ର କୋର୍ଟଙ୍କ ଆଗରେ ଉପସ୍ଥାପନ କରାଯିବ।

ଅନ୍ୟପକ୍ଷରେ କୋର୍ଟ ଆମାଜନ ପ୍ରାଇମର ଭାରତୀୟ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଆମାଜନ ପ୍ରାଇମରେ ପ୍ରସାରିତ ୱେବ ସିରିଜ୍‌ ତାଣ୍ଡବ ବିବାଦକୁ ନେଇ ତାଙ୍କ ନାଁରେ ଏଫଆଇଆର ରୁଜୁ ହୋଇଥିବା ବେଳେ ଗିରଫଦାରୀର ଭୟ ମଧ୍ୟ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button