ଔଷଧ କଳାବଜାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ଔଷଧ ଓ ଚିକିତ୍ସା ଉପକରଣର ବେଆଇନ୍ ଗଚ୍ଛିତ ସହ କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଏହି ନିଷ୍ପତ୍ତି ହୋଇଛି।

ସୋମବାର ଭୁବନେଶ୍ୱରଠାରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମ୍‌ବ୍ରାଂଚ, ଯଶୋବନ୍ତ ଜେଠୱାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବ୍ୟବସାୟୀମାନେ ଔଷଧ ଓ ଚିକିତ୍ସା ଉପକରଣର କଳାବଜାର କରିବାର ଆଶଙ୍କା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ଏପରି କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡିଜି ଶ୍ରୀ ଜେଠୱା ଚେତାବନୀ ଦେଇଛନ୍ତି।

ଏହାବ୍ୟତୀତ ଡ୍ରଗସ୍ ଇନ୍ସପେକ୍ଟର, କ୍ରାଇମ୍ ବ୍ରାଂଚ, ସ୍ପେଶାଲ ଟାସ୍କ ଫୋର୍ସ ଓ ସ୍ଥାନୀୟ ପୋଲିସ୍‌କୁ ନେଇ ସ୍ୱତନ୍ତ୍ର ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ଗଠନ କରାଯାଇଛି। କଟକ ଓ ଭୁବନେଶ୍ୱରରେ କଳାବଜାରୀ ରୋକିବାକୁ ୭ଟି ଫ୍ଲାଇଂ ସ୍କ୍ୱାଡ ଟିମ୍ ଗଠନ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନରେ ୧୫ଟି ଟିମ୍ ଗଠନ କରାଯାଇଛି। ଔଷଧ ଓ ଇଂଜେକ୍‌ସନ୍ ପ୍ରସ୍ତୁତକାରୀ କମ୍ପାନୀଠାରୁ ଆରମ୍ଭ କରି ଷ୍ଟକିଷ୍ଟ, ସପ୍ଲାୟର୍‌, ବିକ୍ରେତାଙ୍କ ସମସ୍ତ ତଥ୍ୟ ଯାଂଚ ଚାଲିଛି। ସେମାନଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି ଏବଂ ଗୋଇନ୍ଦା ସୂଚନାକୁ ଅଧିକ କ୍ରିୟାଶୀଳ କରାଯାଇଛି। କୌଣସି ସ୍ଥାନରେ କଳାବଜାରୀ ହେଉଥିବା ଖବର ମିଳିଲେ ତତ୍‌କ୍ଷଣାତ ଚଢଉ କରାଯିବ। ଉକ୍ତ ବୈଠକରେ ଡିଆଇଜି, ଏସ୍‌ଟିଏଫ, ଜୟନାରାୟଣ ପଙ୍କଜଙ୍କ ସମେତ ରାଜ୍ୟ ଡ୍ରଗ୍ସ କଂଟ୍ରୋଲର୍‌, ଏସ୍‌ଟିଏଫ୍ ଓ କ୍ରାଇମ୍ ବ୍ରାଂଚର ଅଧିକାରୀ ଏବଂ ଡ୍ରଗ୍ସ ଇନ୍ସପେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.