ପଛିମବଙ୍ଗରେ ମୋଦି-ଅମିତ ଶାହ ଫେଲ : ମମତା ଗଢିବେ ସରକାର

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କ୍ଷମତା ହାସଲ ପାଇଁ ଯୋଜନା କରିଥିଲା ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଜୋରଦାର କରିଥିଲେ ପ୍ରଚାର। କିନ୍ତୁ ଦିଦିଙ୍କୁ କ୍ଷମତାରୁ ହଟାଇବା ସମ୍ଭବ ହେଲାନି। ନିର୍ବାଚନ ଫଳାଫଳ ମମତାଙ୍କ ସପକ୍ଷରେ ଯାଉଛି। ମମତା ବାନାର୍ଜୀଙ୍କ ଟିଏମସି ୨୧୯ଟି ଆସନରେ ଆଗରେ ରହିଛି। ବିଜେପି ମାତ୍ର ୭୨ଟି ଆସନରେ ଲିଡ୍‌ କରୁଛି।

କିଛି ସମୟ ପୂର୍ବରୁ ଟିଏମସି ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। ବିଜେପି ୧୧୫ଟି ଆସନରେ ଆଗରେ ଥିଲା। ହେଲେ ଏବେ ଟିଏମସି ଯଥେଷ୍ଟ ଆଗକୁ ଚାଲି ଯାଇଛି। ବାମ ମେଣ୍ଟ ଗୋଟିଏ ଆସନରେ ଆଗରେ ଥିବା ବେଳେ ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗୁଆ ରହିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭାର ୨୯୪ଟି ଆସନରୁ ୨୯୨ଟି ଆସନରେ ଭୋଟ ହୋଇଥିଲା। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୭। ଏବେଠାରୁ ଟିଏମସି ୨୧୯ ଆସନରେ ଲିଡ୍‌ କରିଥିବାରୁ ଦଳୀୟ କର୍ମୀମାନେ ଉତ୍ସବ ମନାଇବା ଆରମ୍ଭ କରିଛନ୍ତି। ଟିଏମସିକୁ ଏହି ନିର୍ବାଚନରେ ସଫଳତା ମିଳିବା ସ୍ପଷ୍ଟ ହୋଇଥିବା ବେଳେ ଏହାର କର୍ମୀମାନେ ବିଭିନ୍ନ ସ୍ଥାନରେ ନାଚିବା ଆରମ୍ଭ କରିଦେଲେଣି। ଆସନସୋଲରେ କିଛି କର୍ମୀ ବାଣ ଫୁଟାଇଥିବା ବେଳେ କୋଲକାତାର କାଳିଘାଟରେ ଖୁସି ମନାଇ ନାଚିଛନ୍ତି। ସବୁଆଡ଼େ କର୍ମୀମାନେ ସେଲଫି ନେଇ ବିଜୟ ପାଇଁ ପ୍ରସ୍ତୁତ କରୁଛନ୍ତି।

ଅନ୍ୟପକ୍ଷରେ ନିର୍ବାଚନ କମିଶନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଜୟ ଉତ୍ସବ ଉପରେ ରୋକ ଲଗାଇଛନ୍ତି। ତଥାପି ବେଙ୍ଗଲ ଓ ତାମିଲନାଡୁରେ ରାଜନୀତିକ ଦଳର କର୍ମୀମାନେ ଏକାଠି ସେଲିବ୍ରେସନରେ ମାତି ଥିବାରୁ କମିଶନ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନ ସଂପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଫଆଇଆର ରୁଜୁ କରିବା ସହ ସ୍ଥାନୀୟ ଏସଏଚ୍‌କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button