Breaking Newsରାଜ୍ୟ

ପହିଲାରୁ ମେଡିକାଲ୍ କଲେଜ : ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ନେବ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି

ଭୁବନେଶ୍ଵର : କରୋନା କଟକଣା ଭିତରେ ରାଜ୍ୟ ସରକାର ଆଜି ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଡିସେମ୍ବର ୩୧ପର୍ଯ୍ୟନ୍ତ ଏହି ବଳବତ୍ତର ରହିବ। ଏଥିରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସୂଚନା ଦିଆଯାଇଛି। ଡିସେମ୍ବର ପହିଲାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ ବୋଲି କରାଯାଇଛି ଘୋଷଣା। କିନ୍ତୁ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ଉପରେ ଛାଡି ଦିଆଯାଇଛି।

କୋଭିଡ-୧୯ ପାଇଁ ଓଡ଼ିଶାର ବନ୍ଦ ରହିଥିବା ସମସ୍ତ ମେଡିକାଲ କଲେଜ ଡିସେମ୍ବର ୧ରୁ ଖୋଲିବ। ଉଚ୍ଚଶିକ୍ଷା ବିଭାଗର ସଚିବ, ଡିନ୍, ପ୍ରିନ୍ସିପାଲ ଓ ବିଭିନ୍ନ ମେଡିକାଲ୍ କଲେଜର ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ଓ ପରିଵାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଥିଲା। ଗତ ୨୭ ତାରିଖରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି। ତେବେ କରୋନା କଟକଣା ସହ ମାର୍ଗଦର୍ଶିକା ମାନି କଲେଜ ଖୋଲିବାକୁ ସମସ୍ତ ମେଡିକାଲ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ବର୍ତ୍ତମାନ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସ୍କୁଲ କଲେଜ ଖୋଲିବନି ବୋଲି ଘୋଷଣା ହୋଇଥିବା‌ ବେଳେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି କୁହାଯାଇଛି। ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସଂପର୍କରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ଓ ଏସଓପି ଜାରି କରି ସ୍କୁଲ ଖୋଲାଯାଇପାରିବ ବୋଲି ଗାଇଡ଼ଲାଇନ‌ରେ ସ୍ପଷ୍ଟ କରାଯାଇଛି।

ଏହାଛଡା କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବେ ଉଚ୍ଚଶିକ୍ଷା ବିଭାଗ। କଲେଜଗୁଡ଼ିକ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ନା ଏହି ଅବଧିକୁ ଆହୁରି ବୃଦ୍ଧି ହେବ ବିଭାଗ ନିଷ୍ପତ୍ତି ନେବ। ବିଭାଗ ଅଧିନରେ ପରିଚାଳିତ କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଏଥିସହ ଜଡ଼ିତ ବିଭିନ୍ନ ପକ୍ଷ ସହିତ ଆଲୋଚନା ମାଧ୍ୟମରେ ଖୋଲାଯାଇପାରିବ। ତେବେ ଗୃହବିଭାଗ ଏସଓପି, ୟୁଜିସି ଓ ଏଆଇସିଟିଇ ଗାଇଡଲାଇନ୍ ଅନୁସରଣ କରିବା ବାଧ୍ୟତାମୂଳକ।

ସ୍କୁଲ-କଲେଜ ନଖୋଲିଲେ ମଧ୍ୟ ପରୀକ୍ଷା ଓ ଖାତାଦେଖା ଚାଲୁ ରହିବ। ଏ ମଧ୍ୟରେ ଅନଲାଇନ ଓ ଦୂରନିରନ୍ତର ଶିକ୍ଷାକୁ ଅଧିକ ପ୍ରୋତ୍ସାହନ ଦିଆଯିବ। ତେବେ ମେଡିକାଲ କଲେଜ ଗୁଡ଼ିକ ଖୋଲିବା ପରେ କର୍ତ୍ତୃପକ୍ଷ ସାମାଜିକ ଦୂରତ୍ଵ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ଦେଶାବଳୀକୁ ମାନିବାକୁ କୁହାଯାଇଛି।

ମତାମତ ଦିଅନ୍ତୁ ।

Back to top button