ପାକ୍ ସେନା ଗୁଳିରେ ୩ ଭାରତୀୟ ଯବାନ ସହିଦ

ଶ୍ରୀନଗର : ପାକିସ୍ଥାନର ଅସ୍ତ୍ର ବିରତି ଉଲ୍ଲଙ୍ଘନ। ଜମ୍ମୁ-କଶ୍ମୀର ସୀମାରେ ଆଜି ପାକ୍ ସେନା ପ୍ରବଳ ଗୁଳି ମାଡ଼ କରିଛନ୍ତି। ଭିନ୍ନଭିନ୍ନ ସ୍ଥାନରେ ପାକ୍ ପକ୍ଷରୁ କରାଯାଇଥିବା ଗୁଳିମାଡ଼ରେ ୩ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ୫ ଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ନିକଟସ୍ଥ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରତିରକ୍ଷା ମୁଖପାତ୍ରଙ୍କ ସୂଚନା ପାକିସ୍ତାନ ସେନା ପକ୍ଷରୁ କୁପୱାଡା ଜିଲ୍ଲା ନୌଗାମ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପ୍ରବଳ ଗୁଳିମାଡ଼ କରାଯାଇଥିଲା। ଏଠାରେ ଥିବା ଭାରତୀୟ ଆଉଟପୋଷ୍ଟ ଗୁଡ଼ିକୁ ଟାର୍ଗେଟ କରି ମୋର୍ଟାର ଓ ସ୍ୱଂୟଚାଳିତ ବନ୍ଧୁକ ଦ୍ୱାରା ଆକ୍ରମଣ ହୋଇଥିଲା। ଭାରତ ପକ୍ଷରୁ ଏହାର ଜବାବ ଦିଆଯାଇଛି। ଏହି ଗୁଳିବିନିମୟ ଦୀର୍ଘ ସମୟ ଧରି ଚାଲିଥିବା ବେଳେ ୨ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସୀମାରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ପୂର୍ବରୁ ପୁଞ୍ଚ ସେକ୍ଟରରେ ମଧ୍ୟ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରି ଭାରତୀୟ ଆଉଟପୋଷ୍ଟକୁ ଟାର୍ଗେଟ କରିଥିଲା। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ। ଉଭୟ ଘଟଣାରେ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ପାକିସ୍ତାନର କ’ଣ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିନାହିଁ।

ମତାମତ ଦିଅନ୍ତୁ ।