ପାକିସ୍ତାନ : ଫ୍ରାନ୍ସ ବିରୋଧୀ ହିଂସାରେ ୧୩ ମୃତ

0

ଇସଲାମାବାଦ : ପାକିସ୍ତାନରେ ସୋମବାରଠାରୁ ଆରମ୍ଭ ହୋଇଥିବା ଫ୍ରାନ୍ସ ବିରୋଧୀ ହିଂସା ବିଭିନ୍ନ ସହରକୁ ବ୍ୟାପିବାରେ ଲାଗିଛି। ହିଂସାକାଣ୍ଡ ଯୋଗୁଁ ପୋଲିସ ଗୁଳିରେ ୧୨ ଆନ୍ଦୋଳନକାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ପ୍ରାୟ ୪୦ ଜଣ ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ପାକିସ୍ତାନରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟଦୂତଙ୍କୁ ବହିଷ୍କାର ଓ ଫ୍ରାନ୍ସ ସହ ବାଣିଜ୍ୟ କାରବାର ବନ୍ଦ ଦାବିକରି ମୌଳବାଦୀ ସଂସ୍ଥା ତେହେରିକ-ଇ-ଲବାଇବ ପାକିସ୍ତାନ (ଟିଏଲପି) ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। ଗତବର୍ଷ ଫ୍ରାନ୍ସର ପ୍ୟାରିସଠାରେ ପ୍ରକାଶିତ ବିବାଦୀୟ କାର୍ଟୁନକୁ ଟିଏଲପି ବିରୋଧ କରିଛି। କାର୍ଟୁନରେ ଇସଲାମର ଅବମାନନା କରାଯାଇଥିବା କୁହାଯାଉଛି।

ହିଂସା ପରେ ପାକିସ୍ତାନ ସରକାର ଟିଏଲପିକୁ ନିଷିଦ୍ଧ ଘୋଷଣା କରି ଏହାର ମୁଖ୍ୟ ସାଦ୍ ହୁସେନ ରିଜଭିଙ୍କୁ ଗିରଫ କରିଛି। ଗତ ନଭେମ୍ବର ମାସରେ ଟିଏଲପି ପକ୍ଷରୁ ପାକିସ୍ତାନରେ ହିଂସାତ୍ମକ ଆନ୍ଦୋଳନ କରାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ପାକିସ୍ତାନରେ ଥିବା ନିଜର ନାଗରିକ ଓ କମ୍ପାନି କର୍ମଚାରୀମାନଙ୍କୁ ତୁରନ୍ତ ଛାଡ଼ିବାକୁ ପରାମର୍ଶ ଜାରି କରିଛନ୍ତି।

Leave A Reply

Your email address will not be published.