ପାକିସ୍ତାନରେ ସେନା-ପୋଲିସ ବିବାଦ ତେଜିଲା

କରାଚି : ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସ୍‌ଲିମ୍ ଲିଗ୍-ନୱାଜ୍‌ ନେତା ନୱାଜ ଶରିଫଙ୍କ ଜ୍ଵାଇଁ କ୍ୟାପ୍ଟେନ ମହମ୍ମଦ ସଫଦରଙ୍କ ଗିରଫଦାରୀକୁ ନେଇ ବିବାଦ ଦେଖାଦେଇଛି। ସେନା ଓ ପୋଲିସ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସରକାରଙ୍କୁ ବଞ୍ଚାଇବାକୁ ଚାହୁଁଥିବା ସେନା ପାଇଁ ବଢିଯାଇଛି ଅଡୁଆ। ମିଡିଆ ଓ ବିରୋଧୀ ଦଳ ବିଦ୍ରୋହ କରିବାରୁ ପାକ୍‌ ସେନା ମୁଖ୍ୟ କମର ଜାଭେଦ ବାଜୱା ତରବରିଆ ଭାବେ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

ଅକ୍ଟୋବର ୧୮ରେ ୧୧ଟି ବିରୋଧୀ ଦଳର ମହାମେଣ୍ଟ ମହାପର୍ବରେ ପାକିସ୍ତାନ ଡେମୋକ୍ରେଟିକ୍‌ ମୁଭ୍‌ମେଣ୍ଟ ପକ୍ଷରୁ ବିଶାଳ ଶୋଭାଯାତ୍ରାର ଆୟୋଜନ କରଯାଇଥିଲା। ଏହି ଅବସରରେ ନୱାଜ୍‌ ଶରିଫଙ୍କ ପୁଅ ଓ ଝିଅ ମରିୟମ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଟାର୍ଗେଟ କରିଥିଲେ। ରାଲିରେ ମରିୟମ ଇମ୍ରାନ ଖାନଙ୍କୁ ଭୀରୁ ଓ ସେନାର କାଠପୁତୁଳି ବୋଲି କହିବା ସହିତ ସେ ନିଜର ଅସଫଳତାକୁ ଲୁଚାଇବା ପାଇଁ ସେନା ପଛରେ ଲୁଚୁଛନ୍ତି ଅଭିଯୋଗ କରିଥିଲେ।

ରାଲିକୁ ସମ୍ବୋଧନ କରିବା ପରେ ମରିୟମ ସ୍ଵାମୀ କ୍ୟାପ୍ଟେନ ସଫଦରଙ୍କ ସହ ହୋଟେଲରେ ପହଞ୍ଚିଥିଲେ। କିନ୍ତୁ ସେହିଦିନ ବିଳମ୍ବିତ ରାତିରେ କରାଚି ପୋଲିସ ତାଙ୍କ ସ୍ଵାମୀଙ୍କୁ ଗିରଫ କରିଥିଲା। ହୋଟେଲ ରୁମ୍‌ କବାଟ ଭାଙ୍ଗି ପୋଲିସ ସଫ୍‌ଦରଙ୍କୁ ଉଠାଇ ନେଇଥିବା ମରିୟମ ଅଭିଯୋଗ କରିଥିଲେ। ଏହି ଘଟଣାରେ ବିାରୋଧୀଙ୍କ ଜୋରଦାର ପ୍ରଦର୍ଶନ ଯୋଗୁ କିଛି ଘଣ୍ଟାପରେ ସଫଦରଙ୍କଙ୍କୁ ପୋଲିସ ଛାଡ଼ିଦେଇଥିଲା।

ସେହିପରି ୧୮ ତାରିଖ ରାତିରେ ସିନ୍ଧ ପୋଲିସ ମହାନିର୍ଦ୍ଦେଶକ ମୁସ୍ତାକ ମହାରଙ୍କୁ ସେନା ଉଠାଇ ନେଇଥିଲା। ଆଉ ସଫଦରଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିବାକୁ ବାଧ୍ୟ କରିଥିଲା। କିନ୍ତୁ ଏପରି ଘଟଣା ପାଇଁ ଦୁଃଖି ଥିବା ମୁସ୍ତାକ ଛୁଟିରେ ଚାଲି ଯାଇଥିଲେ। ଏହାପରେ ୭୦ ଉଚ୍ଚ ପୋଲିସ ଅଧିକାରୀ ଛୁଟିରେ ଚାଲିଯାଇଥିଲେ ବୋଲି ବିରୋଧୀ ଦଳ ଅଭିଯୋଗ କରିଛି।

ଅନ୍ୟପକ୍ଷରେ ବିରୋଧୀଦଳ ନେତା ବିଲାବଲ ଭୁଟୋ ଜରଦାରୀ ଜେନେରାଲ ବାଜୱା ଓ ଆଇଏସଆଇ ମୁଖ୍ୟଙ୍କୁ ଫୋନ୍‌ କରିଥିଲେ। ଅଭିଯୋଗ କରିଥିଲେ ସଫଦରଙ୍କୁ ସିନ୍ଧରୁ ଗିରଫ କରାଯାଇଛି। ସେଠାରେ ଆମ ସରକାର ଥିବାବେଳେ ଏନେଇ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇନଥିଲା। ତେଣୁ ଏହା ଏକ ପୂର୍ବ ନିର୍ଦ୍ଧାରିତ ଯୋଜନା ବୋଲି ସେ କହିବା ସହିତ ଘଟଣାର ଯାଞ୍ଚ କରିବାକୁ ଦାବି କରିଥିଲେ। ବିରୋଧୀ ନେତାଙ୍କ ହଙ୍ଗାମା ଓ ମିଡିଆର ନାଲିଆଖ ପରେ ବାଜୱା ବାଧ୍ୟହୋଇ ତରବରିଆ ଭାବେ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।