ପାକିସ୍ତାନରେ କୌଣସି ମହିଳା ସୁରକ୍ଷିତ ନୁହନ୍ତି : ମାରିୟମ

ଇସଲାମାବାଦ : ପାକିସ୍ତାନରେ କୌଣସି ମହିଳା ସୁରକ୍ଷିତ ନୁହନ୍ତି। ଏହା କହିଛନ୍ତି ପାକିସ୍ତାନ ମୁସ୍‌ଲିମ୍ ଲିଗ୍‌-ନୱାଜର ଉପାଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମାରିୟମ ନୱାଜ।

ବୁଧବାର ଏକ ସାକ୍ଷାତକାରରେ ମାରିୟମ କହିଛନ୍ତି ସେ ଦୁର୍ନୀତି ମାମଲାରେ ଜେଲରେ ଥିବାବେଳେ ତାଙ୍କ କୋଠରୀର କବାଟରେ କଣା ଥିଲା। ବାଥ୍‌ରୁମ୍‌ରେ ଲାଗିଥିଲା କ୍ୟାମେରା। ସେ ଦୁଇଥର ଜେଲ ଯାଇଥିଲେ ମଧ୍ୟ ତାଙ୍କୁ ଓ ଅନ୍ୟ ମହିଳା କଏଦୀଙ୍କ ଭଳି ବ୍ୟବହାର କରାଯାଉଥିଲା। ଯାହା ଅବର୍ଣ୍ଣନୀୟ। ସେ ସ୍ଥିତି କହୁଛି ପାକିସ୍ତାନରେ କୌଣସି ମହିଳା ସୁରକ୍ଷିତ ନୁହନ୍ତି।

ନ୍ୟାଶନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ୨୦୧୮ ଜୁଲାଇ ୬ରେ ଏକ ଦୁର୍ନୀତି ମାମଲାରେ ମାରିୟମ ନୱାଜଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଜୁଲାଇ ୧୩ରେ ଦଣ୍ଡାଦେଶ ବିରୋଧରେ ଉପର କୋର୍ଟକୁ ଯିବା ପାଇଁ ସେ ତାଙ୍କ ବାପାଙ୍କ ସହ ଲାହୋର ସ୍ଥିତ ଆଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦକୁ ଯାଇଥିବା ବେଳେ ସେଠାରେ ଗିରଫ କରାଯାଇଥିଲା। ତାଙ୍କ ଜାମିନ ଆବେଦନ ନାକଚ ହୋଇଥିଲେ ହେଁ ପରେ କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଥିଲା। ଆଉ ସେ ଜେଲ୍‌ରୁ ମୁକୁଳି ଥିଲେ। ସେହିପରି ୨୦୧୯ ଅଗଷ୍ଟରେ ଚୌଧୁରୀ ସୁଗାର ମିଲ୍ ଦୁର୍ନୀତି ଅଭିଯୋଗରେ ସେ ଗିରଫ ହୋଇଥିଲେ। ସେହିବର୍ଷ ନଭେମ୍ବରରେ ତାଙ୍କୁ ଲାହୋର ହାଇକୋର୍ଟ ଜାମିନ ଦେଇଥିଲେ।

ମତାମତ ଦିଅନ୍ତୁ ।