ପଂଚାୟତରାଜ ବ୍ୟବସ୍ଥା ଭଷୁଡି ପଡିଛି : ସମୀର ମହାନ୍ତି

ଭୁବନେଶ୍ୱର : ରାଜ୍ୟବାସୀ ପଂଚାୟତ ବ୍ୟବସ୍ଥାର ବହୁ ଦୂରରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଇଥିବା ଅର୍ଥ ପଂଚାୟତରେ ଖର୍ଚ୍ଚ ହୋଇପାରୁନାହିଁ। ଯାହା “ସଉଦା ଅଛି, ରୋଷେଇଆ ନାହିଁ” ଭଳି କଥା ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାର ପଂଚାୟତରାଜ ଦିବସକୁ ବହୁ ଆଡମ୍ବରରେ ପାଳନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ହେଲେ ରାଜ୍ୟବାସୀ ପଂଚାୟତ ବ୍ୟବସ୍ଥାର ବହୁ ଦୂରରେ ଅଛନ୍ତି। ସେ କହିଲେ ଗ୍ରାମାଂଚଳର ବିକାଶ ପାଇଁ ପଂଚାୟତରାଜ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ୟୁପିଏ ସରକାରଙ୍କ ଅମଳରେ ୨୦୧୪ ମସିହା ପୂର୍ବରୁ ୧୩ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ପ୍ରତିଟି ପଂଚାୟତର ବିକାଶ ପାଇଁ ପ୍ରତି ବର୍ଷ ମାତ୍ର ୧ରୁ ୫ ଲକ୍ଷ ଟଙ୍କା ମିଳୁଥିଲା। ମାତ୍ର ମୋଦି ସରକାର ୨୦୧୫ ମସିହାଠାରୁ ୧୪ଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ପ୍ରତି ପଂଚାୟତକୁ ବର୍ଷକୁ ୪୦ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ଦେଉଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନୀତି ପାଇଁ ଅର୍ଥ ବିନିଯୋଗ ହୋଇନପାରି କେନ୍ଦ୍ରକୁ ଫେରିଯାଉଛି।

ଶ୍ରୀ ମହାନ୍ତି କହିଲେ ଗତ ୬ ବର୍ଷରେ ରାଜ୍ୟର ଗ୍ରାମାଂଚଳରେ ଯାହା କିଛି ବିକାଶ ହୋଇଛି ତାହା ମୋଦି ସରକାରଙ୍କ ଅର୍ଥରେ ହୋଇଛି। ମୋଦିଙ୍କ ଲାଇଟ ଗାଁ ଦାଣ୍ଡକୁ ଉଜ୍ଜଳ କରିଛି। ମାତ୍ର ରାଜ୍ୟର ଅର୍ଦ୍ଧାଧିକ ପଂଚାୟତରେ ନିର୍ବାହୀ ଅଧିକାରୀ ପଦବୀ ଖାଲି ପଡିଛି। ବ୍ଲକରେ ଜେଇ ଓ ଆପିଓ କର୍ମଚାରୀ ପଦବୀ ଖାଲି ପଡିଥିବା ବେଳେ ଅତି ନିମ୍ନ ମାନର କାମ ହେଉଛି। ରାଜ୍ୟର ୫୦ରୁ ଉର୍ଦ୍ଧ୍ୱ ବିଧାନସଭା କ୍ଷେତ୍ରର ବିଭିନ୍ନ ଗ୍ରାମ ଗସ୍ତ କରି ବିକାଶର ବାସ୍ତବ ଚିତ୍ର ଦେଖିଲା ପରେ ଗ୍ରାମାଂଚଳର ବିକାଶରେ ରାଜ୍ୟ ସରକାର ବାଧକ ସାଜିଥିବା ସ୍ପଷ୍ଟ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ମୋଦି ସରକାର କେନ୍ଦ୍ରରୁ ପଠାଉଥିବା ଅର୍ଥକୁ ସଠିକ ବିନିଯୋଗ କରିବା ଓ ରାଜ୍ୟ ସରକାର ନିଜସ୍ୱ ପାଂଠିରୁ ଅର୍ଥ ଖର୍ଚ୍ଚ କରି ଗ୍ରାମାଂଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରି ପ୍ରତ୍ୟେକ ଗ୍ରାମକୁ ଆତ୍ମନିର୍ଭରଶୀଲ କରିବାରେ ବଳିଷ୍ଠ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶୀନି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button