ପାଣି ପାଇଁ ମହିଳାଙ୍କ ଜାତୀୟ ରାଜପଥ ଅବରୋଧ

କାମାକ୍ଷାନଗର : ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ଅନେକ ସ୍ଥାନରେ ପାଣି ସମସ୍ୟା ଦେଖାଦେଇଛି। ଅଭିଯୋଗ ଉଠୁଛି ପିଇବାକୁ ପାଣି ମିଳୁନି। ଏହିଭଳି ପାଣି ଅଭାବକୁ ନେଇ ଆଜି ରଙ୍ଗମାଟିଆ ବନ୍ୟାସାହି ଗ୍ରାମର ଶତାଧିକ ମହିଳା ଗରା ଓ ବାଲଟି ଧରି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ କାମାକ୍ଷାନଗର-ଯାଜପୁର ରୋଡ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ଵରେ ଗାଡି ଗୁଡିକ ଅଟକି ରହିଥିବା ଦେଖାଯାଇଥିଲା।

ଖବର ଅନୁଯାୟୀ ରଙ୍ଗମାଟିଆ ବନ୍ୟାସାହିର ପ୍ରାୟ ୧୫୦ଟି ପରିବାର ଗୋଟିଏ କୂଅ ଓ ଗୋଟିଏ ନଳକୂଅ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ରାଜପଥ ସମ୍ପ୍ରସାରଣରେ କାର୍ଯ୍ୟରେ ନିୟୋଜିତ ବାଲାଜୀ କମ୍ପାନୀ ଡକୟାର୍ଡରୁ ନିର୍ଗତ ଦୂଷିତ ଗୁଣ୍ଡ ପାଖ କୂଅ ଓ ପୋଖରୀରେ ପଡିବାରୁ ପାଣି ଆଉ ଗାଧୋଇବା କିମ୍ବା ପିଇବା ଉପଯୋଗୀ ହେଉନାହିଁ। ନଳକୂଅରୁ ଭଲ ପାଣି ବାହାରୁନାହିଁ। ଏ ସମ୍ପର୍କରେ ବାରମ୍ବାର ବିଡିଓ, ସରପଞ୍ଚ ଓ ବାଲାଜୀ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର ନ ହେବାରୁ ମହିଳାମାନେ ରଙ୍ଗମାଟିଆ ଛକଠାରେ ରାସ୍ତାରୋକ କରିବାକୁ ବାଧ୍ୟ ହୋଇଥିଲେ। ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଓ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ପାଣିର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେବାପରେ ସେମାନେ ରାସ୍ତାରୋକ ହଟିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button