ପାଣିକୋଇଲି ଆଇଆଇସିଙ୍କୁ ଲୋକେ କହିଲେ ନାଗିନ ଡ୍ୟାନ୍ସ କର

ଯାଜପୁର : ଥାନା ଭିତରେ ନାଗିନ ଡ୍ୟାନ୍ସ। ଏଥିପାଇଁ ଦୁର୍ଘଟଣାସ୍ଥଳକୁ ଯାଇଥିବା ପାଣିକୋଇଲି ଥାନା ଆଇଆଇସିଙ୍କୁ ହଟହଟ୍ଟା ହେବାକୁ ପଡିଛି। ଲୋକେ ତାଙ୍କୁ ନାଗିନ ଡ୍ୟାନ୍ସ କରିବା ପାଇଁ କହିବାକୁ ପଛାଇନାହାନ୍ତି।

ଖବର ଅନୁଯାୟୀ ଗତକାଲି ପାଣିକୋଇଲି ୧୬ ନମ୍ବର ଜାତୀୟ ରାଜପଥ ସଠିପୁର ଓଭରବ୍ରିଜ ତଳେ ଏକ ପିକଅପ ଭ୍ୟାନ୍‌ ଧକ୍କାରେ ଜଣେ ଦହିବରା ବିକାଳୀର ମୃତ୍ୟୁ ଘଟିଥିଲା। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ପାଣିକୋଇଲି ଥାନା ଆଇଆଇସି ପୋଲିସ ଟିମ୍‌ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ କୁଆଡେ ଲୋକଙ୍କୁ ଆଇଆଇସି ଚଢ଼ା ଗଳାରେ ଇଆଡ଼ୁ ସିଆଡ଼ୁ କହିଥିବା ଶୁଣିବାକୁ ମିଳୁଛି। ଏହାପରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଠେଲାପେଲା କରିବା ସହ ରାସ୍ତାରେ ଚଲାଇ ଚଲାଇ ନେଇଥିଲେ। ଏହି ସମୟରେ ତାଙ୍କ ଆଗରେ ବିନ୍‌ ବଜାଇବା ସହ ନାଗିନ ଡ୍ୟାନ୍ସ କରିବାକୁ କହିଥିଲେ। ଆଉ କେହି ଠେଙ୍ଗା ଉଠାଇ ପିଟିବାକୁ ଉଦ୍ୟମ କରିଥିଲେ। ଏସବୁ ଘଟଣା ଘଟଣାରେ ଉପସ୍ଥିତ ପୋଲିସମାନେ ନିରଵଦ୍ରଷ୍ଟା ସାଜିଥିଲେ ବୋଲି ଶୁଣିବାକୁ ମିଳିଛି।

ସୂଚନାଯୋଗ୍ୟ ହୋଲିଦିନ ପାଣିକୋଇଲି ମେଳଣରେ ଡ୍ୟୁଟି ସାରିବା ପରେ ପୋଇସ କର୍ମଚାରୀମାନେ ଥାନାକୁ ଆସିଥିଲେ। ଥାନା ଭିତରେ ଆରମ୍ଭ ହୋଇଥିଲା ନାଗିନ ଡ୍ୟାନ୍ସ। ଏହାର ଭିଡିଓ ଭାଇରାଲ ହେବା ପରେ କେବଳ ଏଏସଆଇ ସଞ୍ଜୟ ଦାସଙ୍କୁ ସସପେଣ୍ଡ କରାଯାଇଛି। କିନ୍ତୁ ଆଇଆଇସି ମଧ୍ୟ ଡ୍ୟାନ୍ସ କରିଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ନାଚ ଘଟଣାକୁ ସେ ମଧ୍ୟ ସ୍ୱୀକାର କରିଥିଲେ।

Leave a Reply

Your email address will not be published. Required fields are marked *

Back to top button