ପରବର୍ତ୍ତୀ ସିଜେଆଇ ପାଇଁ କେନ୍ଦ୍ର ସରକାର ଜଷ୍ଟିସ ବୋବଡେଙ୍କୁ ନାଁ ମାଗିଲେ

0

ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନିୟମ ଅନୁଯାୟୀ କେନ୍ଦ୍ର ସରକାର ବର୍ତ୍ତମାନର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବଡେଙ୍କୁ ଚିଠି ଲେଖି ପରବର୍ତ୍ତୀ ସିଜେଆଇଙ୍କ ନାଁ ସୁପାରିସ କରିବାକୁ କହିଛନ୍ତି।

ସୂଚନା ଅନୁଯାୟୀ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ଶଙ୍କର ପ୍ରସାଦ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ ବୋବଡେଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ପରେ କିଏ ସୁପ୍ରିମକୋର୍ଟର ୪୮ତମ ପ୍ରଧାନ ବିଚାରପତି ହେବେ ତାଙ୍କ ନାଁ ସୁପାରିସ କରିବାକୁ କହିଛନ୍ତି। କାରଣ ଦେଶର ସିଜେଆଇ ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍ ବୋବଡେ ଏପ୍ରିଲ ୨୩ରେ ଅବସର ଗ୍ରହଣ କରିବେ। ଏହା ପୂର୍ବରୁ ସେ ତାଙ୍କ ଉତ୍ତରାଧିକାରୀଙ୍କ ନାଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ପଠାଇବେ। ମନ୍ତ୍ରଣାଳୟର ଅନୁମୋଦନକ୍ରମେ ଏହି ସୁପାରିସକୁ କାର୍ଯ୍ୟକାରୀ କରାଯିବ। ମାର୍ଚ୍ଚ ୨୩ ସୁଦ୍ଧା ସୁପାରିସ ପତ୍ର କେନ୍ଦ୍ର ସରକାରଙ୍କୁ ପଠାଯିବାର ପ୍ରାବଧାନ ରହିଛି।

ସିଜେଆଇ ଜଷ୍ଟିସ ବୋବଡେଙ୍କ ପରେ ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ହେଉଛନ୍ତି ଜଷ୍ଟିସ ଏନଭି ରମନା। ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ରମନା ପରବର୍ତ୍ତୀ ସିଜେଆଇ ହେବେ। ତାଙ୍କ ନାଁ ଜଷ୍ଟିସ ବୋବଡେ କେନ୍ଦ୍ରକୁ ସୁପାରିସ କରିବେ ବୋଲି କୁହାଯାଉଛି। ୬୩ ବର୍ଷୀୟ ଜଷ୍ଟିସ ରମନା ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ଆକ୍ଟିଂ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.