ପରକୀୟା ପ୍ରୀତି ଧରିବାରୁ ପତ୍ନୀକୁ ମରଣାନ୍ତକ ଆକ୍ରମଣ କଲେ ଏଡିଜି

ଭୋପାଳ : ମଧ୍ୟପ୍ରଦେଶରେ ଜଣେ ଡିଜି ପାହ୍ୟାର ଅଧିକାରୀ ତାଙ୍କ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପରକୀୟା ପ୍ରୀତିକୁ ଧରିବାରୁ ଏପରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶର ଅତିରିକ୍ତ ଡିଜି ପୁରୁଷୋତ୍ତମ ଶର୍ମାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ପରକୀୟା ସଂପର୍କ ରହିଥିଲା। ଏଘଟଣା ଜାଣିବା ପରେ ତାଙ୍କ ପତ୍ନୀ ସଂପୃକ୍ତ ମହିଳାଙ୍କ ଘରକୁ ଯାଇ ଏଡିଜି ଶର୍ମା ଓ ମହିଳା ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିଥିଲେ। ଘରକୁ ଫେରିବା ପରେ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗିଯାଇ ପତ୍ନୀଙ୍କୁ ଆକ୍ରମଣ କରିଥିଲେ ଏଡିଜି ଶର୍ମା।

ଘଟଣା ସମ୍ପର୍କରେ ଜାଣିବା ପରେ ଏଡିଜି ଶର୍ମାଙ୍କ ପୁଅ ପାର୍ଥ ଗୌତମ ଘର ସିସିଟିଭି କ୍ୟାମେରାରେ କୈଦ ହୋଇଥିବା ଭିଡିଓକୁ ରାଜ୍ୟ ଗୃହମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କ ନିକଟକୁ ପଠାଇ ପିତାଙ୍କ ବିରୋଧରେ ଅଭିଯୋଗ ପଞ୍ଜିକରଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରଛନ୍ତି। ପାର୍ଥ ଗୌତମ ଶର୍ମା ୨୦୧୪ ବ୍ୟାଚ୍‌ର ଜଣେ ଇଣ୍ଡିଆନ ରେଭିନ୍ୟୁ ସର୍ଭିସ୍‌ (ଆଇଆରଏସ୍‌) ଅଧିକାରୀ।

ଅନ୍ୟ ପକ୍ଷରେ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଘଟଣା ବିଷୟରେ ଶୁଣିିଛନ୍ତି। ଏସଂପର୍କରେ ଲିଖିତ ଅଭିଯୋଗ ପଞ୍ଜୀକୃତ ହେବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସେହିପରି ରାଜ୍ୟ ମହିଳା ଆୟୋଗ ମୁଖପାତ୍ର ସଂଗୀତା ଶର୍ମା କହିଛନ୍ତି ମହିଳା ଆୟୋଗଙ୍କ ଦ୍ୱାରା ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ। ଯଦି ଏଡିଜି ଶର୍ମାଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ପଞ୍ଜିକରଣ କରନ୍ତି ତେବେ ମହିଳା ଆୟୋଗ ପକ୍ଷରୁ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମତାମତ ଦିଅନ୍ତୁ ।