ପରମବୀରଙ୍କ ବିରୋଧରେ ସହକର୍ମୀ ଆଣିଲେ ଦୁର୍ନୀତି ଅଭିଯୋଗ

ମୁମ୍ୱାଇ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ଏବେ ସମାନ ଅଭିଯୋଗରେ ଫସିଛନ୍ତି। ତାଙ୍କ ବିରୋଧରେ ଅକୋଲା ଜିଲ୍ଲା ପୋଲିସରେ ଏତଲା ରୁଜୁ ହୋଇଥିବା ବେଳେ ଥାନେ ପୋଲିସ ମାମଲାର ତଦନ୍ତ କରିବ ବୋଲି ଜଣାପଡ଼ିଛି।

ପୋଲିସ ଇନ୍ସପେକ୍ଟର ଭିମାରାଓ ଘାଡଗେଙ୍କ ଅଭିଯୋଗ ଆଧାରରେ ଦାଖଲ ହୋଇଥିବା ଏତଲାରେ ପରମ ବୀର୍ ସିଂହ ଓ ଡିସିପି ପାରାଗ୍ ମନେରେଙ୍କ ସମେତ ୨୬ ପୋଲିସ ଅଧିକାରୀଙ୍କ ନାଁ ରହିଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ପ୍ରମାଣ ନଷ୍ଟ ଓ ଏସସି-ଏସଟିର ନିର୍ଯାତନା ଅଭିଯୋଗ ରହିଛି।

ଘାଡଗେଙ୍କ ଅବିଯୋଗ ପରମବୀର୍ ସିଂହ ଥାନେ ପୁଲିସରେ ନିୟୋଜିତ ଥିବା ବେଳେ ତାଙ୍କୁ ପୋଷ୍ଟିଂ ପାଇଁ ଲାଞ୍ଚ ମାଗିଥିଲେ। ସେହିପରି ଅନେକ ଲୋକଙ୍କ ବିରୋଧରେ ମଛି କେସ ରୁଜୁ କରୁଥିଲେ। ସେ କହିଛନ୍ତି ତାଙ୍କୁ ୨୦୧୫ ରୁ ୨୦୧୮ ପର୍ଯ୍ୟନ୍ତ ଥାନେ ପୋଲିସ କମିଶନରେଟରେ ନିଯୁକ୍ତ କରାଯାଇଥିଲା। ପରମବୀର ସିଂହ ସେହି ସମୟରେ ଥାନେର ପୋଲିସ କମିଶନର ଥିଲେ। ତାଙ୍କ ଅଧୀନରେ ଥିବା ବହୁ ପୋଲିସ ଅଧିକାରୀ ଖୋଲାଖୋଲି ଭାବେ ଦୁର୍ନୀତି କରୁଥିଲେ। ଅନେକ ଥର ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ନକରିବାକୁ ପରମବୀର ତାଙ୍କୁ କହିଥିବା ଘାଡଗେ କହିଛନ୍ତି।

ମୁମ୍ୱାଇ ପୋଲିସର ଇନସପେକ୍ଟର ଅନୁପ ଏସ ଡାଙ୍ଗେ ପରମବୀରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ସେ ଏକ ହତ୍ୟା ମାମଲାର ତଦନ୍ତ କରିବାକୁ ଯାଇଥିବା ବେଳେ ପରମବୀର କିଭଳି ତାଙ୍କୁ ହଇରାଣ କରିଥିଲେ ଓ ପରେ ସେ ନିଲମ୍ୱିତ ହୋଇଥିଲେ ବୋଲି କହିଥିଲେ। ସେହି ହତ୍ୟା ମାମଲାର ଅଭିଯୁକ୍ତଙ୍କ ସହିତ ପରମବୀରଙ୍କର ଭଲ ସମ୍ପର୍କ। ସେହି ବ୍ୟକ୍ତି ଅଣ୍ଡରଓ୍ୱାର୍ଲଡ ଡନଙ୍କ ସହ କାମ କରେ ବୋଲି ଡାଙ୍ଗେ ଅଭିଯୋଗ କରିଥିଲେ। ମହାରାଷ୍ଟ୍ର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଇନସପେକ୍ଟର ଡାଙ୍ଗେ ଏହା ଜଣାଇବା ସହିତ ଅପରାଧୀମାନଙ୍କୁ ପରମବୀର ସୁରକ୍ଷା ଦେଉଥିଲେ ବୋଲି ଉଲ୍ଲେଖ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button