ପାର୍ବଣ ଋତୁ ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡଲାଇନ

ନୂଆଦିଲ୍ଲୀ : ପାର୍ବଣ ଋତୁ ସମୟରେ କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି। ଏଥିରେ ପରାମର୍ଶ ଦିଆଯାଇଛି ୬୫ ବର୍ଷରୁ ଅଧିକ ବୟସ୍କ ଓ ୧୦ ବର୍ଷରୁ କମ ବୟସ୍କମାନେ ପର୍ବପର୍ବାଣୀରେ ଘରେ ରହିବେ।

ସେହିପରି ଗର୍ଭବତୀ ଓ ବିଭିନ୍ନ ରୋଗରେ ପୀଡ଼ିତ ଲୋକମାନଙ୍କୁ ଜନସମାବେଶରେ ସାମିଲ ନହେବାକୁ କୁହାଯାଇଛି। ବିଭିନ୍ନ କାର୍ଯ୍ୟକ୍ରମ, ମେଳା, ରାଲି, ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଂସ୍ଥା ଗୁଡ଼ିକ ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ଓ ସାନିଟାଇଜର୍‌ର ବ୍ୟବସ୍ଥା କରିବେ। ସର୍ବସାଧାରଣରେ ଲୋକମାନେ ଅତିକମରେ ପରସ୍ପର ଠାରୁ ୬ ଫୁଟ ଦୂରତା ଅବଲମ୍ବନ କରିବେ।
ସମସ୍ତଙ୍କ ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ସମ୍ଭବ ହେଲେ ଲୋକମାନେ ବାରମ୍ବାର ହାତ ସାନିଟାଇଜ କରିବେ।

ଏହାବ୍ୟତୀତ ସର୍ବସାଧାରଣ ସ୍ଥାନରେ କାଶ କିମ୍ବା ଛିଙ୍କ ହେଲେ ପାଟି ଓ ନାକକୁ ଘୋଡ଼ାଇ ରଖିବାକୁ କୁହାଯାଇଛି। ଏଥିସହ ତୁରନ୍ତ ବ୍ୟବହାର କରିଥିବା ରୁମାଲ, ଟିସୁ ପେପରକୁ ଡଷ୍ଟବିନରେ ପକାଇବା ସହିତ ହାତକୁ ସାନିଟାଇଜ କରିବେ। ସମସ୍ତେ ନିଜର ସ୍ୱାସ୍ଥ୍ୟାବସ୍ଥାକୁ ନିଜେ ମନିଟରିଂ କରିବେ ଓ କିଛି ଅସୁବିଧା ହେଲେ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାଇବେ। କେହି ବାହାରେ ଛେପ ପକାଇବେ ନାହିଁ। ସମସ୍ତଙ୍କୁ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବାକୁ କୁହାଯାଇଛି।

ମତାମତ ଦିଅନ୍ତୁ ।