Breaking Newsରାଜ୍ୟ

ପରୀ ହତ୍ୟାକାଣ୍ଡ : ୧୬ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ : ନୟାଗଡ଼ ପରୀ ହତ୍ୟାକାଣ୍ଡ ତଦନ୍ତର ଅଗ୍ରଗତି ସମ୍ପର୍କୀତ ଷ୍ଟାଟସ୍ ରିପୋର୍ଟ ଡିସେମ୍ବର ୧୬ ତାରିଖ ସୁଦ୍ଧା ଦାଖଲ କର। ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୀଡ଼ିତ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ମଧ୍ୟ କହିଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପରୀ ହତ୍ୟାକାଣ୍ଡ ନେଇ ଆଇନଜୀବୀ ପଦ୍ମାଳୟା ମହାପାତ୍ର କରିଥିବା ଆବେଦନର ଶୁଣାଣି କରିଥିଲେ।
ଆବେଦନକାରୀ ଦର୍ଶାଇଛନ୍ତି ୨୦୨୦, ଜୁଲାଇ ୨୦ରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀ ନିଖୋଜ ହୋଇଯାଇଥିଲା। ପରିବାର ଲୋକ ଖୋଜା ଖୋଜି କରି ନପାଇବାରୁ ଜୁଲାଇ ୧୪ରେ ନାୟାଗଡ଼ ସଦର ଥାନାରେ ଏତଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତରୁ କିଛି ଫଳ ନ ମିଳିବାରୁ ପରିବାର ଲୋକେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଜୁଲାଇ ୨୩ରେ ଘର ପଛପଟୁ ଶିଶୁଟିର କେତେ ଖଣ୍ଡ ହାଡ଼ ମିଳିଥିଲା। କେହି ଦୁର୍ବୃତ୍ତ ପରୀକୁ ହତ୍ୟା କରିବା ପରେ ଅଖାରେ ତାର ଶବ ବାନ୍ଧି ପକାଇ ଦେଇଥିବା ସନ୍ଦେହ କରାଯାଇଥିଲା। ଏହାର ମାସ ପରେ ମାସ ବିତି ଥିଲେ ମଧ୍ୟ ପରୀ ହତ୍ୟା ମାମଲାର ତଦନ୍ତରେ ଅଗ୍ରଗତି ହୋଇ ନଥିଲା।

ପରୀ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ। ନଚେତ ସାଧାରଣ ଲୋକଙ୍କ ଆଇନ ଉପରୁ ଭରଷା ତୁଟିଯିବ। ଏହି ଘଟଣାର ତଦନ୍ତକୁ ହାଇକୋର୍ଟ ନିଜେ ତଦାରଖ କରନ୍ତୁ ନଚେତ ସ୍ଵାଧୀନ ଏଜେନ୍ସି ବା ସିବିଆଇ ଦ୍ୱାରା ତଦନ୍ତ କରାଯାଉ। ଏହି ଘଟଣାରେ ଦୋଷୀ ବ୍ୟକ୍ତି ଓ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ନୟାଗଡ଼ ଏସପିଙ୍କୁ ପୀଡ଼ିତ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ମତାମତ ଦିଅନ୍ତୁ ।

Back to top button