ପରିବାରର ୪ ଜଣଙ୍କୁ ହତ୍ୟାକାରୀ ବିଲ୍ଡର ଫେରାର

ଲୁଧିଆନା : ପାରିବାରିକ କଳହର ୪ ଜଣଙ୍କ ଜୀବନ ଗଲା। ସମ୍ପୂର୍ଣ୍ଣ ପରିବାରକୁ ସଫାକରି ପଞ୍ଜାବର ଲୁଧିଆନାର ଜଣେ ବିଲ୍ଡର ଫେରାର ହୋଇଯାଇଛି।

ଖବର ଅନୁଯାୟୀ ରାଜୀବ ସୁଣ୍ଡା ଘର ନିର୍ମାଣ କରି ବିକ୍ରି କରୁଥିଲା। ପୁଅ ଆଶୀଷ ମଧ୍ୟ କରୁଥିଲା ରୋଜଗାର। କିନ୍ତୁ ବିଲ୍ଡର ରାଜୀବଙ୍କ ପରିବାର ସହିତ ପଡ଼ୋଶୀଙ୍କର ସମ୍ପର୍କ ନଥିଲା। ସେମାନେ କାହା ସହ କଥା ବାର୍ତ୍ତା କରୁନଥିଲେ। ଘଟଣା ଦିନ ରାଜୀବ ନିଜ ପତ୍ନୀ, ପୁଅ, ବୋହୁ ଓ ୧୩ ବର୍ଷର ନାତିକୁ କୁରାଢ଼ୀରେ ହାଣି ହତ୍ୟା କରିଥିଲା। ସେଠାରୁ ଖସି ପଳାଇବାକୁ ଉଦ୍ୟମ କରି କାରରେ ଯାଉଥିବା ବେଳେ ଗାଡିଟି ଏକ ଗଛରେ ପିଟି ହୋଇଥିଲା। କିନ୍ତୁ ରାଜୀବ ବଞ୍ଚି ଯାଇ ଫେରାର ହେବାରେ ସକ୍ଷମ ହୋଇଥିଲା।

ପଡ଼ୋଶୀ କହିଛନ୍ତି ୪ ଦିନ ପୂର୍ବରୁ ରାଜୀବର ଘରେ ପାଟିତୁଣ୍ଡ ଶୁଭିଥିଲା। ଘଟଣାସ୍ଥଳରୁ ପୋଲିସକୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ମିଳିଛି। ସୁଇସାଇଡ୍‌ ନୋଟ୍‌ରେ ରାଜୀବ ଲେଖିଛି ପୁଅର ଶ୍ଵଶୁର ଘର ପାଇଁ ସେ ଚିନ୍ତାରେ ରହୁଥିଲା। କାରଣ ଦୁଇବର୍ଷ ପୂର୍ବରୁ ପୁଅର ଶ୍ଵଶୁର ଓ ଶଳାଙ୍କୁ ୪ ଲକ୍ଷ ଟଙ୍କା ଦେଇଥିଲେ। ସେମାନେ ଟଙ୍କା ନ ଫେରାଇ ପୁଣି ୩ ଲକ୍ଷ ଟଙ୍କା ନେଇଥିଲେ। ଏହି ୭ ଲକ୍ଷ ଟଙ୍କା ଫେରାଇବାକୁ ଅମଙ୍ଗ ହେଉଥିବା ବେଳେ ମାଗିଥିଲେ ପୁଣି ୧୦ ଲକ୍ଷ ଟଙ୍କା। ଟଙ୍କା ଦେବାକୁ ରାଜୀବ ମନା କରିବାରୁ ବୋହୂ ଘରେ ତାଣ୍ଡବ ରଚିଥିଲେ। ତାଙ୍କ ଉପରେ ମିଥ୍ୟା ମାମଲା କରିବାକୁ ଧମକ ଦେଇଥିଲେ।

  ସରକାର ବହନ କରିବେ କ୍ୟାନ୍‌ସର ରୋଗୀଙ୍କ ପେଟ୍ ସିଟିସ୍କାନ ଖର୍ଚ୍ଚ

ରାଜୀବ ଆହୁରି ଲେଖିଥିଲେ ପରିବାର ଲୋକଙ୍କ ନାଁରେ ମାମଲା ହେଲେ ସମାଜରେ ନାଁ ଖରାପ ହେବାର ଭୟରେ ପରିବାରକୁ ହତ୍ୟା କରିବାକୁ ଯାଉଛି। ନିଜେ ମଧ୍ୟ ଆତ୍ମହତ୍ୟା କରିବି। ଏଥିପାଇଁ ସେ ପୁଅର ଶ୍ଵଶୁର ଓ ଶଳାକୁ ଦାୟୀ କରିଛନ୍ତି। ଏହି ଘଟଣାରେ ପିଏୟୁ ଥାନାଧିକାରୀ ପରମଦୀପ ସିଂହ ଅଭିଯୁକ୍ତ ରାଜୀବ କୁମାର ବିରୋଧରେ ଧାରା ୩୦୨​‌ରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।