ପଶ୍ଚିମ ଓଡ଼ିଶାରେ କରୋନାର ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଛତିଶଗଡ଼ ସୀମାକୁ ଲାଗିଥିବା ଓଡିଶାର ଜିଲ୍ଲାଗୁଡ଼ିକରେ କରୋନା ଏବେ ଅଧିକ ବ୍ୟାପୁଛି। ସେଥିପାଇଁ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ସଚିବ ଓ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‌ପଶ୍ଚିମ ଓଡ଼ିଶାକୁ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀ ପଠାଇବା ସହିତ କରୋନା ମୁକାବିଲା ପାଇଁ ହସ୍‌ପିଟାଲ ଭିତ୍ତିଭୂମି ଦୃଢ଼ କରିବା ଏବଂ ସେସବୁ ଅଂଚଳ ଉପରେ ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ସଂକ୍ରମଣର ଦ୍ଵିତୀୟ ଲହର ସ୍ଥିତି‌ର ସମୀକ୍ଷା କରିଛନ୍ତି। ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପଶ୍ଚିମ ଓଡ଼ିଶା ଉପରେ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ଵ ଦେଇଛନ୍ତି। କୋଭିଡ୍ ନିରାପତ୍ତା ପ୍ରୋଟୋକଲକୁ କଡ଼ାକଡ଼ି ପାଳନ କରିବା ପାଇଁ ଓ ମହାମାରୀ ସଂକ୍ରମଣକୁ ରୋକିବା ଲାଗି ସମଗ୍ର ରାଜ୍ୟରେ ପୋଲିସ ୧୦ଦିନିଆ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୂଲ୍ୟବାନ ଜୀବନଗୁଡ଼ିକ ବିପଦରେ ଥିବାରୁ ଆତ୍ମସନ୍ତୋଷ ପାଇଁ କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି।

କରୋନା ମୁକାବିଲା ପାଇଁ ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ କ୍ଷମତା ବୃଦ୍ଧିର ଆବଶ୍ୟକତା ରହିଛି। ଅଧିକ ପ୍ରଭାବିତ ଅଂଚଳରେ ଅକ୍ସିଜେନ୍ ସୁବିଧା ସହ ଆମ୍ବୁଲାନ୍ସ ସଂଖ୍ୟା ପର୍ଯ୍ୟାପ୍ତ ରହିବା ଓ ସେସବୁର ଠିକ୍ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ହସ୍ପିଟାଲରେ ବେଡ୍ ଅଭାବ କିମ୍ବା ଆମ୍ବୁଲାନ୍ସ ଠିକ୍ ସମୟରେ ଆସିଲାନି ଭଳି ଅଭିଯୋଗ ଯେପରି ନଆସେ ସେଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ଲୋକଙ୍କୁ ମାସ୍କ, ହାତ ପରିଷ୍କାର ରଖିବା ଓ ସାମାଜିକ ଦୂରତ୍ୱ ବଜାୟ ନିମନ୍ତେ ସଚେତନ କରାଇବାକୁ ଆବଶ୍ୟକ ସଚେତନତା ଅଭିଯାନ ଆରମ୍ଭ ପାଇଁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଚେତନତା ଓ ଗାଇଡଲାଇନ୍ କଡ଼ାକଡ଼ି ପାଳନ ପାଇଁ ଜିଲ୍ଲାପାଳମାନେ ନିର୍ବାଚିତ ପଂଚାୟତ ସଦସ୍ୟ, ମିଶନ ଶକ୍ତି ଗୋଷ୍ଠୀ ସମେତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ସତର୍କ ନହେବା ତା’ହେଲେ କରୋନାର ଏହି ନୂଆ ଭାଇରସ୍ ଅଧିକ ସଂକ୍ରମଣ କରିବା ସହ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିବ। ରାଜ୍ୟ ସରକାର ଆନୁଷ୍ଠାନିକ ଓ ବ୍ୟକ୍ତିଗତ ସ୍ତରରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିବେ। ରାଜ୍ୟବାସୀ ମଧ୍ୟ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ ସହ ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ବିଭାଗକୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା, ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାାପାତ୍ର, ରାଜ୍ୟର ସବୁ ଜିଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button