ପଶ୍ଚିମବଙ୍ଗରୁ ଓଡିଶା ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍

ଭୁବନେଶ୍ୱର : ପଶ୍ଚିମବଙ୍ଗ ଫେରନ୍ତା ଏବେ ରାଜ୍ୟ ପାଇଁ ଚିନ୍ତାର କାରଣ ହୋଇଛନ୍ତି। ସେଠାରେ ଚିହ୍ନଟ ହୋଇଛି ନୂଆ ଷ୍ଟ୍ରେନ୍। ଯାହାକୁ ବେଙ୍ଗଲ ଷ୍ଟ୍ରେନ୍ ବୋଲି କୁହାଯାଉଛି। ସେଥିପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ଏଣିକି ପଶ୍ଚିମବଙ୍ଗ ଫେରନ୍ତା ପ୍ରବାସୀଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ଗୁରୁବାର ମୁଖ୍ୟ ଶାସନ ସଚିବ ପ୍ରେସ୍ ବିବୃତିରେ କହିଛନ୍ତି ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ବ୍ୟକ୍ତି କ୍ୱାରେଣ୍ଟାଇନ୍ ରହିବେ। ଏ ନେଇ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ପଶ୍ଚିମବଙ୍ଗକୁ ଲାଗି ରହିଥିବା ସମସ୍ତ ରାସ୍ତାରେ ଚେକିଂ କଡାକଡି କରାଯିବ। ସେଠାରୁ ଆସୁଥିବା ଲୋକମାନଙ୍କୁ ଆରଟିପିସିଆର ଟେଷ୍ଟ ନେଗେଟିଭ୍ ଓ କରୋନା ଟିକାର ଦ୍ୱିତୀୟ ଡୋଜ ନେଇଥିବା ପ୍ରମାଣପତ୍ର ଦେଖାଇବାକୁ ପଡିବ। ନଚେତ୍ ଟିଏମ୍ସିରେ କିମ୍ବା ପେଡ୍ କ୍ୱାରେଣ୍ଟାଇନ୍ ରହିପାରିବେ। ଟିଏମ୍ସିରେ ରହୁଥିବା ଲୋକଙ୍କୁ ରାଜ୍ୟ ସରକାର ରହିବା ଓ ଖାଇବା ବ୍ୟବସ୍ଥା କରିବେ।

ସେହିପରି ରାଜ୍ୟ ସରକାର ବିମାନ ବନ୍ଦର ପାଇଁ କଟକଣା ଜାରି କରିଛନ୍ତି। ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଓ ଝାରସୁଗୁଡା ବିମାନବନ୍ଦରକୁ ଆସୁଥିବା ଯାତ୍ରୀମାନେ ୪୮ ଘଣ୍ଟା ପୂର୍ବରୁ ନେଗେଭିଟ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ। ନଚେତ୍ ଘରକୁ ଯିବାକୁ ଦିଆଯିବନାହିଁ। ସେମାନେ ହୋମ୍ କ୍ୱାରେଣ୍ଟାଇନ୍ ରହିପାରିବେ ନାହିଁ। ବିମାନବନ୍ଦରଠାରୁ ସିଧାସଳଖ କ୍ୱାରେଣ୍ଟାଇନ ସେଣ୍ଟର କିମ୍ବା ପେଡ୍ କ୍ୱାରେଣ୍ଟାଇନକୁ ନିଆଯିବ।

Leave a Reply

Your email address will not be published. Required fields are marked *

Back to top button