ପଶ୍ଚିମବଙ୍ଗ : ବୋମାମାଡରେ ୬ ବିଜେପି କର୍ମୀ ଆହତ

କୋଲ୍କାତା : ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ ବୋମା ମାଡ ହୋଇଛି। କେତେକ ଦୁର୍ବୃତ୍ତ ଦେଶୀ ବୋମା ଫିଙ୍ଗିବାରୁ ୬ଜଣ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କଥା କୁହାଯାଉଛି।
ଖବର ଅନୁଯାୟୀ ଶୁକ୍ରବାର ରାତିରେ ବିବାହ ଅନୁଷ୍ଠାନରୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ଏହି ଘଟଣାରେ ଶୋଭନ ଦେବନାଥ, ବିକ୍ରମ ଶିଲ୍, ଅର୍ପଣ ଦେନାଥ, ସ୍ୱପନ୍ କୁରାଲି, ମହାଦେବ ନାଇକ ଓ ଅନ୍ୟ ଜଣେ ଆହତ ହୋଇଥିବାରୁ ସେମନଙ୍କୁ ଚିକିତ୍ସା ନିମନ୍ତେ ‘କ୍ୟାନିଙ୍ଗ୍ ସବ୍ଡିଭିଜ୍ନ୍ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ପାଇଁ ଆହତ ବିଜେପି କର୍ମୀମାନେ ‘ତୃଣମୂଳ କଂଗ୍ରେସ’ କର୍ମୀମାନଙ୍କୁ ଦାୟୀ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଏକ ବିବାହ ଅନୁଷ୍ଠାନରୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ଗୋସବା ବିଧାନସଭା ଆସନର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ସର୍କାର ଦାବି କରିଛନ୍ତି ବିଜେପି ନେତା ବରୁଣ ପରମାଣିକ କେତେକ ଦୁର୍ବୃତ୍ତଙ୍କ ସହାୟତାରେ ବୋମା ପୋତୁଥିବା ବେଳେ ବିସ୍ଫୋରଣ ଘଟିବାରୁ ଛଅଜଣ ଆହତ ହୋଇଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।