ପଶ୍ଚିମବଙ୍ଗ ମମତା ଓ କେରଳ ବାମମେଣ୍ଟ, ତାମିଲନାଡ଼ୁ ଡିଏମକେ, ଆସାମ ଓ ପୁଡ଼ୁଚେରୀରେ ବିଜେପି କ୍ଷମତାକୁ ଫେରିବ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଆଜି ଶେଷ ପର୍ୟ୍ୟାୟ ଭୋଟ ଗ୍ରହଣ ସରିଛି। ଏଥିସହ ଶେଷ ହୋଇଛି ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ। ବୁଥବାହୁଡ଼ା ମତ ଅନୁସାରେ ଫଳାଫଳ କ’ଣ ହେବ ତାହାର କରାଯାଇଛି ଆକଳନ। ତେବେ ଆସାମ ଓ ପୁଡ଼ୁଚେରୀରେ ବିଜେପି କ୍ଷମତାକୁ ଫେରିବ ବୋଲି ଏକଜିଟ ପୋଲ ରିପୋର୍ଟ କହିଥିବା ବେଳେ ପଶ୍ଚିମବଙ୍ଗରେ ମମତା, କେରଳରେ ବାମମେଣ୍ଟ ଏବଂ ତାମିଲନାଡ଼ୁରେ ଡିଏମକେ ସରକାର ଗଢିବାର ସମ୍ଭାବନା ଥିବା କୁହାଯାଇଛି।

ସି-ଭୋଟର ଅନୁସାରେ ପଶ୍ଚିମବଙ୍ଗରେ ଟିଏମସି ୧୫୨-୧୬୪ଟି ଆସନ ପାଇବ। ସେହିପରି ବିଜେପି ୧୦୯-୧୨୧ଟି ଆସନ ଓ କଂଗ୍ରେସ ବାମ ମେଣ୍ଟ ୧୪-୨୫ଟି ଆସନରେ ଜିତିବ। ତେବେ ରିପବ୍ଲିକ-ସିଏନକ୍ସ ଅନୁସାରେ ଟିଏମସି ୧୨୮-୧୩୮ଟି ଆସନ, ବିଜେପି ୧୩୮-୧୪୮ଟି ଆସନ ଓ କଂଗ୍ରେସ ବାମ ମେଣ୍ଟକୁ ୧୧-୨୧ଟି ଆସନ ମିଳିବ। ଅନ୍ୟପକ୍ଷରେ ଜନକି ବାତର ରିପୋର୍ଟ ହେଲା ଟିଏମସି ୧୧୮-୧୩୪ଟି ଆସନ, ବିଜେପି ୧୫୦-୧୬୨ଟି ଆସନ ଓ କଂଗ୍ରେସ ବାମ ମେଣ୍ଟ ୧୦-୧୪ଟି ଆସନ ଜିତିବାର ସମ୍ଭାବନା ରହିଛି।

ସେହିପରି କେରଳରେ ପୁଣି ବାମମେଣ୍ଟ ସରକାର ଗଢିବ। ଇଣ୍ଡିଆଟୁଡେ-ଆକ୍ସିସ ମାଇ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଏଲଡିଏଫ ୧୦୪-୧୨୦ଟି ଆସନ, ୟୁଡିଏଫ ୨୦-୩୬ଟି ଆସନ ଜିତିବ। ସିଏନଏକ୍ସ ଆକଳନ ହେଲା ଏଲଡିଏଫ ୭୨-୮୦ ଓ ୟୁଡିଏଫ ୫୮-୬୪ଟି ଆସନ ପାଇବ।

ଇଣ୍ଡିଆ ଟୁଡେ-ମାଇ ଆକ୍ସିସ୍ ମାଇ ଇଣ୍ଡିଆ ଏକଜିଟ ପୋଲ ଅନୁସାରେ ଆସାମରେ ପୁଣି ବିଜେପି କ୍ଷମତାକୁ ଫେରିବ। ରାଜ୍ୟର ମୋଟ ୧୨୬ ଆସନ ମଧ୍ୟରୁ ବିଜେପି ୭୫-୮୫ଟି ଆସନ, କଂଗ୍ରେସ ୪୦-୫୦ଟି ଆସନ ଜିତିବ। ଅନ୍ୟମାନଙ୍କୁ ୧-୨ ଟି ଆସନ ମିଳିବାର ସମ୍ଭାବନା ରହିଛି। ଟୁଡେଜ ଚାଣକ୍ୟ ଅନୁସାରେ ବିଜେପି ୬୧-୭୯ଟି ଆସନ, କଂଗ୍ରେସ ୪୭-୬୫ଟି ଆସନ ଜିତିବ ଓ ଅନ୍ୟମାନେ ୦-୩ଟି ଆସନ ପାଇବେ।

ଏକଜିଟ ପୋଲ ରିପୋର୍ଟ ଅନୁଯାୟୀ ତାମିଲନାଡୁରେ ଏଆଇଡିଏମକେ କ୍ଷମତାଚ୍ୟୁତ ହେବାର ସମ୍ଭାବନା ରହିଛି। ଡିଏମକେ ରହିଛି ଆଗରେ। ରିପବ୍ଲିକ-ସିଏନଏକ୍ସ ରିପୋର୍ଟ କହିଛି ଡିଏମକେ ୧୬୦-୧୭୦ଟି ଆସନ ଜିତିବ। ଏଆଇଡିଏମକେକୁ ୫୮-୬୮ଟି ଆସନ ଓ ଅନ୍ୟମାନେ ୪-୬ଟି ଆସନରେ ଜିତିବେ। ଟୁଡେଜ୍-ଚାଣକ୍ୟର ରିପୋର୍ଟ ହେଲା ଡିଏମକେ ୧୬୪-୧୮୬ଟି, ଏଆଇଡିଏମକେ ୪୬-୬୮ଟି ଓ ଅନ୍ୟମାନେ ୦-୮ଟି ଆସନରେ ଜିତିବେ।

ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ବିଜେପି କ୍ଷମତା ହାସଲ କରିବାର ସମ୍ଭାବନା ରହିଛି। ରିପବ୍ଲିକ-ସିଏନଏକ୍ସର ଆକଳନ ହେଲା ବିଜେପି ୧୬-୨୦ଟି ଆସନ ଓ କଂଗ୍ରେସ ୧୧-୧୩ଟି ଆସନ ଜିତିବ।

Leave a Reply

Your email address will not be published. Required fields are marked *

Back to top button