ପଥର ସହିତ ନୁହେଁ, ପ୍ରେମରେ ଲଢ଼ିବାକୁ ହେବ : ରାହୁଲ

ଗୌହାଟି : ରାଜନୀତିରେ ଯୁବକମାନେ ଅଂଶଗ୍ରହଣ କରିବା ଦରକାର। ଏଥିପାଇଁ ପଥର ସହିତ ନୁହେଁ ବରଂ ପ୍ରେମରେ ଲଢ଼ିବାକୁ ହେବ। ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଆସାମ ବିଧାନସଭା ନିର୍ବାଚନ ପାଇଁ ଦୁଇ ଦିନିଆ ଗସ୍ତରେ ଯାଇଥିବା ରାହୁଲ୍ ଗାନ୍ଧୀ। ଶୁକ୍ରବାର ଲାହୋଲ ଓ ଦିବ୍ରୁଗଡରେ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ନାଁ ନନେଇ ଆରଏସଏସକୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଆଜି ଲୋକତନ୍ତ୍ରର ମାନ କମୁଥିବା ବେଳେ ଯୁବକ-ଯୁବତୀଙ୍କ ବେରୋଜଗାର ବଢ଼ୁଛି। ଚାଷୀ ଆନ୍ଦୋଳନରେ ବସିଛନ୍ତି, ସଂଶୋଧିତ ନାଗରିକତା ଆଇନ ଲାଗୁ ହୋଇଛି। ଦେଶର ନାଗପୁରରେ ଗଠନ ହୋଇଥିବା ଗୋଟିଏ ସଂଗଠନ ସାରା ଦେଶକୁ ନିୟନ୍ତ୍ରଣ କରୁଛି। ଯଦି ରାଜ୍ୟରେ କଂଗ୍ରେସ ସରକାର ଆସିବ ତାହେଲେ ସିଏଏ ଲାଗୁ ହେବ ନାହିଁ।

ରାହୁଲ କହିଲେ ଲୋକତନ୍ତ୍ରର ଅର୍ଥ ଆସାମର ସ୍ୱର ଆସାମରେ ନିୟନ୍ତ୍ରିତ ହେବା ଆବଶ୍ୟକ। ଯଦି ଆମେ ରାଜନୀତିରେ ଛାତ୍ରମାନଙ୍କୁ ସାମିଲ କରିବୁ ନାହୁଁ ତେବେ କୌଣସି ଲୋକତନ୍ତ୍ର ବା ଗଣତନ୍ତ୍ର ରହିବ ନାହିଁ। ଆସାମରେ ହେଉଥିବା ଲୁଟର ନିୟନ୍ତ୍ରଣ ପାଇଁ ରାଜନୀତିରେ ଯୁବକମାନେ ଅଂଶଗ୍ରହଣ କରିବା ଉଚିତ। ଏଥିପାଇଁ ପଥର ସହିତ ନୁହେଁ ବରଂ ପ୍ରେମରେ ଲଢ଼ିବାକୁ ହେବ।

ସୂଚନାଯୋଗ୍ୟ ଆସାମର ୧୨୬ ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ୨୭ ମାର୍ଚ୍ଚରେ। ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ୍ ୧ରେ ଓ ତୃତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୬ରେ ହେବ। ମେ ୨ରେ ଫଳାଫଳ ପ୍ରକାଶ ପାଇବ। ରାଜ୍ୟରେ ସରକାର ଗଢ଼ିବା ପାଇଁ ୬୪ଟି ଆସନ ଜିତିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *

Back to top button