ପତ୍ନୀକୁ କଟୁରିରେ ବାଡ଼େଇ ହତ୍ୟାକଲା ସ୍ଵାମୀ

କୁଜଙ୍ଗ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ହରସିଣା ଗାଁରେ ହତ୍ୟାକାଣ୍ଡ। ପତ୍ନୀର ମୁଣ୍ଡକୁ କଟୁରି ପଛପଟେ ବାଡ଼େଇ ସ୍ୱାମୀ ହତ୍ୟା କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ହରସିଣା (ଖପଡ଼ା) ଗାଁରେ ସ୍ଵାମୀ ମେଘନାଦ ତରାଇ ଓ ସ୍ତ୍ରୀ ପାର୍ବତୀଙ୍କ ମଧ୍ୟରେ ଗତକାଲି ଝଗଡ଼ା ହୋଇଥିଲା। ପାଟି ଶୁଣି ମେଘନାଦଙ୍କ ବାପା ଶ୍ରୀଧର ପଡ଼ୋଶୀ ମୁରଲୀଧର ତରାଇଙ୍କୁ ଡାକିଥିଲେ। ସେମାନେ ଦେଖିଲେ ମେଘନାଦ ପାର୍ବତୀକୁ କଟୁରି ପଛପଟେ ବାଡ଼ଉଛି। ଦୁହେଁ ମେଘନାଦକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ପାର୍ବତୀଙ୍କ ମୃତ୍ୟୁ ଘଟିଥିଲା। ମେଘନାଦର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି। ତେବେ କୁଜଙ୍ଗ ଥାନା ପୋଲିସ ମେଘନାଦକୁ ଗିରଫ କରିଛି।

ଅନ୍ୟପକ୍ଷରେ ଲୋକେ କହୁଛନ୍ତି ୧୨ ବର୍ଷ ତଳେ ମେଘନାଦ-ପାର୍ବତୀ ପ୍ରେମ ବିବାହ କରିଥିଲେ। କିନ୍ତୁ ମେଘନାଦ ପୂର୍ବତନ ପ୍ରେମିକା ସହ ସଂପର୍କ ରଖିଥିବାରୁ ବିରୋଧ କରିଆସୁଥିଲେ ପାର୍ବତୀ। ଏହାକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ଭିତରେ କଳିକଜିଆ ଲାଗି ରହିଥିଲା। ଏପରିକି ମେଘନାଦ ପୂର୍ବତନ ପ୍ରେମିକାକୁ ଧରି କିଛିଦିନ ଅନ୍ତର୍ଦ୍ଧାନ ହୋଇଯାଇଥିଲା।

ମତାମତ ଦିଅନ୍ତୁ ।