ପତ୍ନୀଙ୍କୁ ଭରଣପୋଷଣ ନଦେଇପାରିରୁ ସ୍ୱାମୀକୁ ଜେଲ

ନୂଆଦିଲ୍ଲୀ : ଏକ ଛାଡ଼ପତ୍ର ମାମଲାରେ ପତ୍ନୀଙ୍କୁ ମାସିକ ୧.୭୫ ଲକ୍ଷ ଟଙ୍କା ଭରଣପୋଷଣ ଓ ୨.୬୦ କୋଟି ବକେୟା ଅର୍ଥ ଦେବାକୁ ସ୍ଵାମୀକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ଆଦେଶ ପାଳନ କରିନଥିବାରୁ ତାଙ୍କୁ କୋର୍ଟ ତିନିମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଖବର ଅନୁଯାୟୀ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ, ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନା ଓ ଜଷ୍ଟିସ୍‌ ଭି ରାମାସୁବ୍ରମଣ୍ୟନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଥିଲେ ଆମେ ଛାଡ଼ପତ୍ର ଦେଇଥିବା ସ୍ୱାମୀଙ୍କୁ ଏକ ଲମ୍ବା ସୁଯୋଗ ଦେଇସାରିଛୁ। ହେଲେ ତାଙ୍କୁ ଦିଆଯାଇଥିବା ସୁଯୋଗକୁ ସେ ବ୍ୟବହାର କରିନାହାଁନ୍ତି। ତେଣୁ ଅଦାଲତର ଆଦେଶକୁ ଅବମାନନା କରିଥିବାରୁ ଆମେ ତାଙ୍କୁ ଦୋଷୀ ରୂପେ ବିବେଚନା କରିବା ସହିତ ତିନିମାସ କାରାଦଣ୍ଡରେ ଦଣ୍ଡିତ କରୁଛୁ।

ସୂଚନାଯୋଗ୍ୟ ଟେଲିକମ୍‌ କ୍ଷେତ୍ରର ଜାତୀୟ ସୁରକ୍ଷା ପ୍ରକଳ୍ପରେ ଉଚ୍ଛ ପଦବୀରେ କାର୍ଯ୍ୟ କରୁଥିବା ସଂପୃକ୍ତ ବ୍ୟକ୍ତିଙ୍କୁ ଅଦାଲତ ଏକାଧିକ ବାର ପତ୍ନୀଙ୍କୁ ଭରଣପୋଷଣ ଓ ବକେୟା ଅର୍ଥ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମହିଳାଙ୍କ ସ୍ୱାମୀ ଅଦାଲତଙ୍କ ଆଦେଶ ପାଳନ କରିନଥିଲେ। ସେଥିପାଇଁ ସର୍ବୋଚ୍ଚ ଅଦାଲତ କହିଛନ୍ତି ଉକ୍ତ ବ୍ୟକ୍ତି କୋର୍ଟର ନିର୍ଦ୍ଦେଶ ପାଳନ କରିବାରେ ବାରମ୍ବାର ବିଫଳ ହୋଇ ବିଶ୍ୱସନୀୟତା ହରାଇଛନ୍ତି। ଏପରି ବ୍ୟକ୍ତି କିପରି ଜାତୀୟ ସୁରକ୍ଷା ପ୍ରକଳ୍ପ ସହ ଜଡିତ ଅଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button