ପତ୍ନୀର ଚରିତ୍ରକୁ ସନ୍ଦେହ କରି ସଂପର୍କୀୟ ଶାଳକଙ୍କୁ ହତ୍ୟା

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳର ଡମ୍ବରୁ ଗୌଡ଼ ନାମକ ଜଣେ ଯୁବକ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସଂପର୍କୀୟ ଶାଳକ ରତନ ଗୌଡ଼ଙ୍କୁ ହତ୍ୟା କରିଛି। ହାତିବାରୀ ଗାଁରେ ଘଟିଛି ଏହି ଘଟଣା।

ଖବର ଅନୁଯାୟୀ ହାତିବାରୀ ଗାଁର ଡମ୍ବରୁ ଗତ ଦଶହରା ସମୟରେ ସେହି ଗାଁର ଜଣେ ୧୪ ବର୍ଷୀୟା ନାବାଳିକାକୁ ପ୍ରେମ ବିବାହ କରିଥିଲେ। ବିବାହର କିଛିମାସ ପରେ ଡମ୍ବରୁ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିବାରୁ ଉଭୟଙ୍କ ମଧ୍ୟରେ କଳିଗୋଳ ହେଉଥିଲା। ଏହାର ସମାଧାନ ପାଇଁ ଏକାଧିକ ଥର ବୈଠକ ବସିଥିଲେ ହେଁ ଡମ୍ବୁରୁର ସନ୍ଦେହ ଦୂର ହୋଇ ନଥିଲା।

ଗତକାଲି ସକାଳୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ସ୍ତ୍ରୀ ନିଜ ଭଉଣୀ ଘରକୁ ଚାଲିଯାଇଥିଲା। ଡମ୍ବରୁର ସନ୍ଦେହ ହୋଇଥିଲା ତାଙ୍କ ସ୍ତ୍ରୀକୁ ମାମୁଁ ପୁଅ ଶଳା କାଳେ ଲୁଚାଇ ରଖିଛି। ତେଣୁ ପୂର୍ବାହ୍ନରେ ଗାଁ ପାଖ ନାଳ ନିକଟକୁ ଗାଧୋଇବା ପାଇଁ ଯାଇଥିଲା। ସେହି ନାଳ ନିକଟରେ ଥିବା ଘାସ ବୁଦାରେ ଡମ୍ବରୁର ମାମୁ ଶ୍ୱଶୁରଙ୍କ ପୁଅ ରତନ ଗୌଡ ଘାସରେ ବସିଥିବା ଗୁଣ୍ଡ୍ରି ଚଢେଇ ଧରିବା ପାଇଁ ଜାଲ ପକାଇବା ସମୟରେ ଡମ୍ବରୁ ନିଜର ରାଗ ସୁଝାଇବା ପାଇଁ ଯାଇ ସେ ଧରିଥିବା ଟାଙ୍ଗିଆରେ ରତନର ବେକକୁ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ରତନର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା। ଶେଷରେ ଡମ୍ବରୁ ରାତିରେ ଥାନାରେ ଆତ୍ମସମର୍ପଣ କରିଥିଲା।

ମତାମତ ଦିଅନ୍ତୁ ।