ରାଜନଗର : ସମୁଦ୍ର କୂଳରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ : ରାଜନଗର ପେଣ୍ଠ ସମୁଦ୍ର କୂଳରୁ ମିଳିଛି ଯୁବକ-ଯୁବତୀଙ୍କ ଗଳିତ ମୃତଦେହ। ଦୁହିଁଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି। ମୃତକ ଦ୍ଵୟ ହେଲେ ରାଜନଗର ଓସ୍ତିଆ ଗାଁର ପ୍ରଶାନ୍ତ ପାତ୍ର ଓ ପଟ୍ଟାମୁଣ୍ଡାଇ ଚନ୍ଦନନଗର ପୂର୍ଣ୍ଣିମା ମହାନ୍ତି। ୪ ଦିନ ତଳେ ନିଖୋଜ ହୋଇଥିବା ବେଳେ ଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତେବେ ସଠିକ ସୂଚନା ମିଳିନାହିଁ।

ଖବର ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଓସ୍ତିଆ ଗାଁର ପ୍ରଶାନ୍ତ ପାତ୍ର ଭୁବନେଶ୍ୱର ରାଜଧାନୀ କଲେଜର ଯୁକ୍ତଦୁଇ (କଳା) ଦ୍ୱିତୀୟ ବର୍ଷର ଛାତ୍ର। ପୂର୍ଣ୍ଣିମାଙ୍କ ଘର ପଟ୍ଟାମୁଣ୍ଡାଇ ଚନ୍ଦନନଗରରେ। କିନ୍ତୁ ସେ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ପଢୁଥିଲେ ହେଁ ମାମୁ ଘର ଓସ୍ତିଆ ଗାଁକୁ ଆସନ୍ତି। ପ୍ରଶାନ୍ତ ଘରକୁ ଆସିଲେ ଦୁହିଁଙ୍କର ଦେଖାସାକ୍ଷାତ ହୁଏ। ତେଣୁ ଉଭୟଙ୍କ ମାଧରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ୪ ଦିନ ତଳେ ଦୁହେଁ ନିଖୋଜ ହୋଇଯାଇଥିଲେ। ଉଭୟଙ୍କ ପରିବାର ଖୋଜିଖୋଜି କରି ନପାଇବାରୁ ପ୍ରଶାନ୍ତ ପରିବାର ରାଜନଗର ଥାନାରେ ଓ ପୂର୍ଣ୍ଣିମାଙ୍କ ପରିବାର ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ।

ଶୁକ୍ରବାର ବନ ବିଭାଗ ରାଜନଗର ପେଣ୍ଠ ସମୁଦ୍ର କୂଳରେ ପାଟ୍ରୋଲିଂ କରୁଥିବା ସମୟରେ ଦୁଇଟି ମୃତଦେହ ଦେଖିଥିଲେ। ସେମାନଙ୍କ ଦେହରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ ରାଜନଗର ଥାନାକୁ ଖବର ଦେବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସମୁଦ୍ର କୂଳରେ ମୃତଦେହ ମିଳିବା ଖବର ପାଇ ପ୍ରଶାନ୍ତ ଓ ପୂର୍ଣ୍ଣିମାଙ୍କ ପରିବାର ଲୋକେ ପହଞ୍ଚି ଚିହ୍ନଟ କରିଥିଲେ। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତରୁ ପ୍ରଶାନ୍ତ ଓ ପୂର୍ଣ୍ଣିମାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button