ଫେସ୍‌ବୁକ୍‌ ଚାଟିଂରେ ଫସିଲେ ଶିକ୍ଷୟିତ୍ରୀ : ଠକାମିରେ ଗଲା ୨୪ ହଜାର

ବଳଙ୍ଗା : ବିଦେଶୀ ବନ୍ଧୁଙ୍କ ସହିତ ଫେସ୍‌ବୁକ୍‌ରେ ଚାଟିଂ କରି ଜଣେ ଶିକ୍ଷୟିତ୍ରୀ ଫସିଛନ୍ତି। ବିଦେଶରୁ ଉପହାର ଦେବା ବାହାନାରେ ବନ୍ଧୁ ଜଣକ ଠକି ନେଇଛନ୍ତି ୨୪ହଜାର ଟଙ୍କା। ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ବଳଙ୍ଗା ଥାନା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀଙ୍କ ନିକଟକୁ ଲଣ୍ଡନର ଫ୍ରାଙ୍କ୍‌ ଆଣ୍ଡରସନ ନାମକ ଜଣେ ଯୁବକ ଫ୍ରେଣ୍ଡସିପ୍‌ ମେସେଜ ପଠାଇଥିଲେ। ଶିକ୍ଷୟତ୍ରୀ ତାଙ୍କର ଫ୍ରେଣ୍ଡ ହୋଇ ଯାଇଥିଲେ। ଏହାପରେ ଚାଲିଲା ଚାଟିଂ। କିଛିଦିନ ଫେସ୍‌ବୁକ୍‌ରେ ସମ୍ପର୍କ ବଢିବା ପରେ ଫ୍ରାଙ୍କ ଆଣ୍ଡରସନ ସୂଚନା ଦେଲେ ସେ ଡିସେମ୍ବର ମାସରେ ଭାରତ ଆସିବେ। ଏହାଛଡା ଚଳିତ ମାସ ୧୪ତାରିଖ ସକାଳେ କିଛି ଉପହାର ପ୍ୟାକେଟ ପଠାଉଥିବା କହିବା ସହିତ ସେଗୁଡିକୁ ଦେଖାଇଥିଲେ। ଆଉ ସେହିଦିନ ରାତିରେ ଉପହାର ପଠାଇ ଦେଇଥିବା ମେସେଜ କରିଥିଲେ। ୧୫ ତାରିଖ ଦିନ ଜଣେ ମହିଳା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଯୋଗାଯୋଗ କରିଥିଲେ। ସେ ଦିଲ୍ଲୀ ଏୟାରପୋର୍ଟରୁ କହୁଥିବା ପରିଚୟ ଦେଇ ଲଣ୍ଡନରୁ ତୁମର ଗିଫ୍‌ଟ ପ୍ୟାକେଟ ଆସିଛି ବୋଲି କହିଥିଲେ। ଏଥିପାଇଁ ଟିକସ ବାବଦକୁ ୨୪ ହଜାର ଟଙ୍କା କାନାରା ବ୍ୟାଙ୍କର ଜମା କରିବା ଲାଗି ଏକ ଆକାଉଣ୍ଟ ନମ୍ବର ମେସେଜ୍‌ କରିଥିଲେ।

ଦାମୀ ଉପହାର ପାଇବା ମୋହରେ ଶିକ୍ଷୟିତ୍ରୀ ୧୬ ତାରିଖ ଦିନ ୨୪ହଜାର ଟଙ୍କା କାନାରା ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାର କିଛି ସମୟ ପରେ ପୁଣି ମହିଳା ଜଣକ କହିଲେ ପ୍ୟାକେଟରେ କିଛି ବିଦେଶୀ ଟଙ୍କା ରହିଛି। ଏହାକୁ ପାଇବାକୁ ହେଲେ ୭୯ ହଜାର ଟଙ୍କା ଜମା ଦେବାକୁ ପଡ଼ିବ। ନଚେତ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଦେବୁ। ମହିଳା ଜଣଙ୍କ ଏହି ଭୟ ଦେଖାଇବାରୁ ବିଚଳିତ ହୋଇ ଶିକ୍ଷୟିତ୍ରୀ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ। ଆଉ ବିଦେଶୀ ବନ୍ଧୁଙ୍କ ଦ୍ୱାରା ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। କୁହାଯାଉଛି ଲୋକଲଜ୍ଜା ଭୟରେ ସେ ଠକାମିର ଶିକାର ହୋଇଥିବା ନେଇ କୌଣସି ଅଭିଯୋଗ କରିନାହାନ୍ତି।

ମତାମତ ଦିଅନ୍ତୁ ।