ପୁଲୱାମା ଆକ୍ରମଣ ଇମ୍ରାନ ସରକାରଙ୍କ ବଡ଼ ସଫଳତା

ନୂଆଦିଲ୍ଲୀ : ପୁଲୱାମା ସିଆରପିଏଫ ଯବାନଙ୍କ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ଇମ୍ରାନ ଖାନ ସରକାରର ଏକ ସଫଳତା। ଏହା କହିଛନ୍ତି ପାକ୍ ମନ୍ତ୍ରୀ ଫୱାଦ ଚୌଧୁରୀ।

ଗୁରୁବାର ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ସଂସଦରେ କହିଛନ୍ତି ପୁଲୱାମା ଆକ୍ରମଣ ହେଉଛି ପାକିସ୍ତାନ ଓ ଇମ୍ରାନ ଖାନଙ୍କ ପାଇଁ ସଫଳତା। ଏଥିପାଇଁ ସେ ଇମ୍ରାନ ଖାନ ଓ ତାଙ୍କ ପାର୍ଟି ପିଟିଆଇକୁ ଶ୍ରେୟ ଦେଇଛନ୍ତି। ଚୌଧୁରୀ କହିଛନ୍ତି ମୁଁ କହୁଛି ଆମେ ହିନ୍ଦୁସ୍ତାନରେ ପଶିକି ମାରିଛୁ। ଆପଣ ଓ ଆମେ ସମସ୍ତେ ଏହି ସଫଳତାର ଅଂଶବିଶେଷ। ଅନ୍ୟପକ୍ଷରେ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଦାବି କରିଆସୁଥିଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ଏହାକୁ ପ୍ରଥମ ଥର ପାଇଁ ପାକିସ୍ତାନ ସରକାର ସ୍ଵୀକାର କରିଛି।

ସୂଚନାଯୋଗ୍ୟ ଜାମ୍ମୁ କାଶ୍ମୀର ପୁଲୱାମାରେ ୨୦୧୯ ଫେବ୍ରୁଆରି ୧୪ରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଜଣେ ଆତଙ୍କବାଦୀ କାରରେ ବିସ୍ଫୋରକ ଭର୍ତ୍ତି କରି ସିଆରପିଏଫ ଯବାନଙ୍କ ଗାଡ଼ିକୁ ଧକ୍କା ଦେଇ ବିସ୍ଫୋରଣ ଘଟାଇବାରୁ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ଫେବୃଆରି ୨୦୧୯ରେ ଭାରତ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହା ପରଦିନ ପାକିସ୍ତାନ ଭାରତକୁ ପଠାଇଥିଲା ଯୁଦ୍ଧ ବିମାନ। ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ଯୁଦ୍ଧ ବିମାନକୁ ହଟାଇବାକୁ ଯାଇ ପାକିସ୍ତାନରେ ଖସି ପଡ଼ିଥି‌ଲେ। ଅଭିନନ୍ଦନଙ୍କୁ ବନ୍ଦୀ କରିଥିଲା ପାକିସ୍ତାନ। କିନ୍ତୁ ୫୨ଘଣ୍ଟା ମଧ୍ୟରେ ଛାଡ଼ିବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲା।

ଏ ସମ୍ପର୍କରେ ତତ୍କାଳୀନ ବାୟୁସେନା ମୁଖ୍ୟ ତଥା ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ବି.ଏସ୍. ଧନୱା କହିଛନ୍ତି ପାକିସ୍ତାନୀ ସେନା ଇଣ୍ଟେଲିଜେନ୍ସି ଇନ-ପୁଟ୍ ଅନୁସାରେ ସେତେବେଳେ ଭାରତୀୟ ବାୟୁସେନା ପୂର୍ଣ୍ଣ ପ୍ରସ୍ତୁତିରେ ଥିଲା। କାରଣ ୧୯୯୯ ମସିହାରେ ପାକିସ୍ତାନ ଶେଷ ମୁହୁର୍ତ୍ତରେ ଧୋକା ଦେଇଥିଲା। ଏଥିର ଯେପରି ସେମିତି କିଛି ନ ହୁଏ ସେଥିଲାଗି ପ୍ରସ୍ତୁତି ସରିଥିଲା। ପାକିସ୍ତାନ ନିଷ୍ପତ୍ତି ନେବାରେ ସାମାନ୍ୟ ବିଳମ୍ବ ଅଥବା ଟାଳଟୁଳ ନୀତି ଅବଲମ୍ବନ କରିଥିଲେ ସମ୍ପୂର୍ଣ୍ଣ ଫରୱାର୍ଡ ବେଶ୍‌କୁ ଭାରତୀୟ ବାୟୁସେନା ଧ୍ୱସ୍ତବିଧ୍ୱଂସ୍ତ କରିଦେଇଥାନ୍ତା ବୋଲି ଧନୱା କହିଛନ୍ତି।

ମତାମତ ଦିଅନ୍ତୁ ।