ପିକକ୍‍ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଜାତୀୟ ଶିଶୁ ଶ୍ରମ ବିରୋଧି ଦିବସ ପାଳିତ

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ଶିଶୁମାନେ ଅଧିକ ସମ୍ବେଦନଶୀଳ ହୋଇପଡିଛନ୍ତି। ପିତାମାତାଙ୍କ ରୋଜଗାରର ଅଭାବ ଶିଶୁମାନଙ୍କୁ ଶ୍ରମିକ ସଜାଇବାର ସମ୍ଭାବନା ଅଧିକ। ତେଣୁ ଏଭଳି ସ୍ଥିତିରେ ଆମେ ସମେସ୍ତ ମିଳିମିଶି ଶିଶୁଙ୍କ ସୁରକ୍ଷା ସହିତ ଶିଶୁ ଶ୍ରମ ପ୍ରଥାର ବିଲୋପ ପାଇଁ ଆଗେଇବାକୁ ଆସିବାକୁ ବିଶିଷ୍ଟ ବକ୍ତାମାନେ ଆହ୍ୱାନ ଦେଇଛନ୍ତି।

ଶୁକ୍ରବାର ଜାତୀୟ ଶିଶୁ ଶ୍ରମ ବିରୋଧି ଦିବସ ଅବସରରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ କଲଚରାଲ ସେଣ୍ଟର (ପିକକ)ର ମିଳିତ ସହଯୋଗରେ ୱେବିନାରର ଆୟୋଜନ କରଯାଇଥିଲା। ଆଲୋଚନାକୁ ଉଦ୍‍ଘାଟନ କରି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କହିଥିଲେ ଶିଶୁ ଶ୍ରମି ପ୍ରଥା ଶିଶୁମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବାବେଳେ ଏହାକୁ ସବୁ ସ୍ତରରୁ ବିରୋଧ କରାଯିବା ଆବଶ୍ୟକ। ଶିକ୍ଷା ଅଧିକାର ଆଇନ୍‍କୁ ନିଶ୍ଚିତ କରାଗଲେ ଶିଶୁଶ୍ରମ ପ୍ରଥାର ବିଲୋପ ହୋଇପାରିବ। ରାଜ୍ୟରୁ କିଭଳି ଶିଶୁ ଶ୍ରମ ପ୍ରଥା ବିଲୋପ ହେବ ସେଥିପାଇଁ ଜିଲ୍ଲା ସ୍ତରରେ ଥିବା ଟାସ୍କଫୋର୍ସକୁ ଅଧିକ ସକ୍ରିୟ କରିବାପାଇଁ ସେ ମତ ଦେଇଥିଲେ। ଏହି ଅବସରରେ ଶ୍ରୀମତୀ ପ୍ରଧାନ ୪୪ଦିନ ବ୍ୟାପି ହେବାକୁ ଥିବା ଶିଶୁ ଶ୍ରମ ବିରୋଧି ଅଭିଯାନ ସମ୍ପର୍କିତ ପୋଷ୍ଟରକୁ ଉନ୍ମୋଚନ କରିଥିଲେ।

ପ୍ରାରମ୍ଭରେ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଅତିଥି ପରିଚୟ ପ୍ରଦାନ ସହିତ ମହାମାରୀ ସମୟରେ ଶିଶୁମାନଙ୍କୁ କିଭଳି ସୁରକ୍ଷିତ ରଖାଯାଇ ପାରିବ ତାହା ଉପରେ ମତ ରଖିଥିଲେ। ପିକକର ସମ୍ପାଦକ ତଥା ଏନ୍‍ଏସିଜି ଇଭାକ ଇଣ୍ଡିଆର ଅଧ୍ୟକ୍ଷ ତଥା ଓଏସିଆର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି କହିଥିଲେ ଚଳିତବର୍ଷକୁ ଆର୍ନ୍ତଜାତୀୟ ଶିଶୁ ଶ୍ରମ ମୁକ୍ତ ବର୍ଷଭାବେ ପାଳନ କରାଯାଉଛି। ୨୦୨୫ ସୁଦ୍ଧା ରାଜ୍ୟକୁ ଶିଶୁ ଶ୍ରମ ମୁକ୍ତ କରିବାପାଇଁ ସରକାର ଘୋଷଣା କରିଛନ୍ତି। ଶିଶୁ ଶ୍ରମ ବିଲୋପ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଅନେକ ପିଲା ଏବେ କୃଷି, ର୍ନିମାଣ, ଇଟାଭାଟି ଆଦି କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି। ଏହି କୁପ୍ରଥାର ବିଲୋପ ପାଇଁ ବର୍ଷସାରା ଉଦ୍ୟମ ଜାରି ରହିଛି।

ୟୁନିସେଫ୍‍ ଓଡିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ କହିଥିଲେ କୋଭିଡ ମହାମାରୀର ପ୍ରଭାବ ସବୁଠାରୁ ଅଧିକ ପିଲାଙ୍କ ଉପରେ ପଡିବାକୁ ଯାଉଛି। ଏହି ମହାମାରୀର ପ୍ରଭାବ ଅର୍ଥନୀତିକୁ ବିଗାଡୁଥିବାରୁ ଶିଶୁ ଶ୍ରମିକ ସମସ୍ୟା ବଢିବାର ସମ୍ଭାବନା ରହିଛି। ଯୁଗ୍ମ ଶ୍ରମ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଶିଶୁର ମୁହଁରେ ହସ ଫୁଟାଇବା ହେଉଛି ଆମ ସମସ୍ତଙ୍କର ଲକ୍ଷ୍ୟ। ଯେଉଁ ଦେଶରେ ଶିଶୁ ସମ୍ପଦ ଯେତେ ବଳିଷ୍ଠ ସେହି ଦେଶ ସେତେ ଉନ୍ନତ। ଶିଶୁ ଶ୍ରମ ପ୍ରଥା ବିରୁଦ୍ଧରେ ରାଜ୍ୟରେ ବିଭିନ୍ନ ଆଇନ୍‍ କାର୍ଯ୍ୟକାରୀ ହେଉଛି। ସମସ୍ତେ ସହଯୋଗର ହାତ ବଢାଇଲେ ଆମେ ଏଥିରେ ସଫଳ ହେବା। ପିକକ୍‍ର ଅଧ୍ୟକ୍ଷା ଡକ୍ଟର ମିନାକ୍ଷୀ ପଣ୍ଡା କୋଭିଡ ମହାମାରୀ ସମୟରେ ଅନ୍‍ଲାଇନ୍‍ ମାଧ୍ୟମରେ ଯେତେଦୂର ସମ୍ଭବ ଶିଶୁମାନଙ୍କୁ ସାଂସ୍କୃତିକ, ସାମାଜିକ ଓ ଖେଳଆଦି କାର୍ଯ୍ୟକ୍ରମରେ ସାମିଲ ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ପିକକର ମୋନାଲିସା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button