ପିକକ୍ ଶିଶୁମେଳା ଉଦ୍‍ଘାଟିତ

ଭୁବନେଶ୍ଵର : ଶିଶୁମାନେ ଭବିଷ୍ୟତରେ ବଡହେବା ପାଇଁ ସ୍ଵପ୍ନ ଦେଖିବା ଓ ଏହାକୁ ସାକାର କରିବା ଲାଗି ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ। ପିତାମାତା ଓ ଶିକ୍ଷକ-ଶିକ୍ଷୟତ୍ରୀମାନେ ଏଥିପାଇଁ ପ୍ରେରଣା ଯୋଗାଇବା ଜରୁରୀ ବୋଲି ‘ପିକକ୍‍’ ଶିଶୁମେଳା ଉଦ୍‍ଘାଟନ ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ରାଜ୍ୟର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ପିପୁଲ୍‍ସ୍‍ କଲ୍‍ଚରାଲ୍‍ ସେଣ୍ଟର (ପିକକ୍‍)ର ୩୧ ତମ ଶିଶୁମେଳାର ଉଦ୍‍ଘାଟନ ଉତ୍ସବ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। କୋଭିଡକୁ ଦୃଷ୍ଟିରେ ରଖି ଡିଜିଟାଲ ମଞ୍ଚରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞନ କୁମାର ଦାସ୍, ପିକକ୍ ଶିଶୁ ଅଧିକାର ପ୍ରସାର ପାଇଁ ଗୁଡୱିଲ ଆମ୍ବାସଡର ଭୂମିକା ଦାଶ, ଶିଶୁ ମାନଙ୍କର ଖେଳ ଅଧିକାର ପ୍ରସାର ପାଇଁ ଗୁଡୱିଲ ଆମ୍ବାସଡର ଅଂଶିକା ରାଉତରାୟ, ବିଶିଷ୍ଟ କ୍ରିଡାବିତ୍‍ ଓ ଅଲମ୍ପିଆନ୍‍ ଅନୁରାଧା ବିଶ୍ଵାଳ ପ୍ରମୁଖ ସାମିଲ ହୋଇଥିଲେ।

ପିକକ୍ ଶିଶୁମେଳା କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଉଦ୍‍ଘାଟନୀ ସମାରୋହରେ ସଭାପତିତ୍ୱ କରିଥିଲେ। ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ଵାଗତ ଜଣାଇବା ସହ ସପ୍ତାହବ୍ୟାପି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଉତ୍ସବରେ ପିକକର ଅଧ୍ୟକ୍ଷା ମିନାକ୍ଷୀ ପଣ୍ଡା, ଚଳଚିତ୍ର ଅଭିନେତ୍ରୀ ଭୂମିକା ଦାଶ, କ୍ରିଡାବିତ୍‍ ଅଂଶିକା ରାଉତରାୟ ଓ ଅଲମ୍ପିଆନ୍‍ ଅନୁରାଧା ବିଶ୍ଵାଳ ପ୍ରମୁଖ ନିଜସ୍ଵ ମତ ରଖିଥିଲେ। ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମତାମତ ଦିଅନ୍ତୁ ।