ପିପିଲି : ବିଜେଡି-ବିଜେପି ପାଇଁ କଂଗ୍ରେସ ଭୋଟ ବାସନ୍ତୀ ପୂଜା ‘ଅଫର’ !

0

ଭୁବନେଶ୍ଵର : ପିପିଲି ଉପନିର୍ବାଚନ ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଛି। ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ନେତାମାନେ ଚଳାଇଛନ୍ତି ଜୋରଦାର ପ୍ରଚାର। ଦଳର ଅସନ୍ତୁଷ୍ଟ କର୍ମୀଙ୍କୁ ଉଭୟ ବିଜେଡି ଓ ବିଜେପି ଟାର୍ଗେଟରେ କରିଥିଲେ ଅସନ୍ତୁଷ୍ଟ। କିନ୍ତୁ କଂଗ୍ରେସ ପ୍ରାର୍ଥୀ ହଠାତ ଅସୁସ୍ଥ ହୋଇ ଚିକିତ୍ସାଧୀନ ରହିବାରୁ ସ୍ଥିତି ବଦଳି ଯାଇଛି। ବିନା ପ୍ରର୍ଥୀରେ କଂଗ୍ରେସ ନେତାମାନେ ପ୍ରଚାର କରୁଥିବାରୁ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କଂଗ୍ରେସ ଭୋଟ ବିଭାଜିତ ହେବ। କେତେକ ଲଘୁ ମନ୍ତବ୍ୟ ଦେଇ କହୁଛନ୍ତି କଂଗ୍ରେସ ଭୋଟ ଏବେ ବିଜେଡି ଓ ବିଜେପି ପାଇଁ ବାସନ୍ତୀ ପୂଜା ‘ଅଫର’।

ଆସନ୍ତା ୧୭ ତାରିଖରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ। ଉପନିର୍ବାଚନ ରଣାଙ୍ଗନରେ ଏକାଧିକ ପ୍ରର୍ଥୀ ପ୍ରତିଦ୍ଵନ୍ଦ୍ଵୀତା କରୁଥିଲେ ମଧ୍ୟ ବିଜେପି-ବିଜେଡି ମଧ୍ୟରେ କଡା ଟକ୍କର ହେବ। କଂଗ୍ରେସ ପ୍ରର୍ଥୀ ଅସୁସ୍ଥ ହୋଇ ଉପନିର୍ବାଚନ ମଇଦାନରୁ ଦୂରେଇ ଯିବାରୁ ଏହା ସ୍ପଷ୍ଟ ହୋଇଗଲାଣି। ତେବେ ରାଜନୈତିକ ମହଲରେ ଆଲୋଚନା ହେଉଛି କଂଗ୍ରେସ ଭୋଟ ଏପାଖ ସେପାଖ ହେବାର ସମ୍ଭାବନା ଅଧିକ। ଯଦି ଏପରି ହୁଏ ତେବେ କେଉଁ ଦଳ ଫାଇଦା ଉଠାଇବ ତାହା ସେମାନଙ୍କ ନେତାଙ୍କ ଉପରେ ନିର୍ଭର କରେ। ଏହାଛଡା ପିପିଲିର ପୂର୍ବତନ କଂଗ୍ରେ ବିଧାୟକ ଯୁଧିଷ୍ଠିର ସମାନ୍ତରାୟଙ୍କ ଭୂମିକା କ’ଣ ରହିବ ତାହା ମଧ୍ୟ ବିଚାରଯୋଗ୍ୟ। କାରଣ ୨୦୧୯ ସାଧାରଣ ନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ଅନିଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଦେଇଥିଲେ ପୂର୍ଣ୍ଣ ସହଯୋଗ। ଉପନିର୍ବାଚନରେ ସେପରି ହୋଇପାରେ ବୋଲି ମତ ପ୍ରକାଶ ପାଉଛି।

ସେହିପରି ଚର୍ଚ୍ଚା ହେଉଛି ପିପିଲି ଉପନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ କଡା ମୁକାବିଲା ହେବ ୨୦୧୯ ନିର୍ବାଚନ ଫଳାଫଳରୁ ଅନୁମାନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ ପକ୍ଷରୁ ହୋଇଥିଲା ନିର୍ବାଚନ ପ୍ରସ୍ତୁତି। ଟାର୍ଗେଟ କରଯାଇଥିଲା ଦଳର ଅସନ୍ତୁଷ୍ଟ କର୍ମୀମାନଙ୍କୁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ‘ଫନି’ ବାତ୍ୟା ସହାୟତାକୁ ନେଇ ବିଜେଡ଼ିର ଅନେକ କର୍ମୀ ଓ ସମର୍ଥକ ଅସନ୍ତୁଷ୍ଟ। ସେମାନଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ବିଜେପି ଅଣ୍ଟା ଭିଡିଛି। ସେହିପରି ଗତଥର ଯେଉଁମାନେ ଦିନରାତିକୁ ଏକାକାର କରି ବିଜେପି ପାଇଁ କାମ କରିଥିଲେ ସେମାଙ୍କନୁ ଏଥର ଗୁରୁତ୍ଵ ଦିଆଯାଉନି। ନୂଆ ଲୋକମାନଙ୍କ ଉପରେ ଭରସା କରାଯାଇଛି। ତେଣୁ ପୁରୁଣା କର୍ମୀମାନେ କ୍ଷୁବଧ। ସେମାନେ ବିପକ୍ଷ ଆଡକୁ ଢଳିବାର ସମ୍ଭାବନା ଥିବାରୁ ଏମାନଙ୍କ ସମର୍ଥନ ହାସଲ କରିବାକୁ ବିଜେଡିର ବଡ ନେତାମାନେ ପ୍ରୟାସ ଚଳାଇଛନ୍ତି। କେବଳ ସେତିକି ନୁହେଁ ସଂଖ୍ୟାଲଘୁ ଭୋଟ ମଧ୍ୟ ନିର୍ଣ୍ଣାୟକ ହୋଇପାରେ। ଯାହା ସୂଚନା ରହିଛି ସେମାନଙ୍କ ମଧ୍ୟରୁ ଅନେକ ଥିଲେ କଂଗ୍ରେସ ସମର୍ଥକ। କିନ୍ତୁ ୨୦୧୯ ନିର୍ବାଚନରେ ବିଜେପି ଏହି ଭୋଟ ନିଜ ଆଡକୁ ନେବାକୁ ଚେଷ୍ଟାକରି କିଛିଟା ସଫଳ ହୋଇଥିଲେ ହେଁ ଫାଇଦା ନେଇଥିଲା ବିଜେଡି। ଉପନିର୍ବାଚନରେ ସଂଖ୍ୟାଲଘୁ ଭୋଟ କେଉଁ ଦଳ ସପକ୍ଷରେ ଯିବ ତାହା ସ୍ପଷ୍ଟ ହୋଇନଥିବା କୁହାଯାଉଛି।

ପିପିଲି ନିର୍ବାଚନ ମଣ୍ଡଳୀର ତଥ୍ୟକୁ ଦେଖିଲେ ସବୁବେଳେ ଏଠାରେ ବିଜେଡି-କଂଗ୍ରେସ ମଧ୍ୟରେ ଲଢେଇ ହୋଇଛି। ୧୯୯୫ ନିର୍ବାଚନରେ କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟ ବିଧାୟକ ହୋଇଥିଲେ। ଏହା ପରଠାରୁ ପିପିଲି ଆସନକୁ ନିଜ ଦଖଲରେ ରଖିଆସିଥିଲେ ବିଜେଡିର ପ୍ରଦୀପ ମହାରଥୀ। ୨୦୧୯ ନିର୍ବାଚନରେ ସ୍ଥିତି ବଦଳିଲା। କଂଗ୍ରେସ ପରିବର୍ତ୍ତେ ପିପିଲିରେ ବିଜେଡିକୁ ଟକ୍କର ଦେଲା ବିଜେପି। ବିଜେପି ପାଇଥିଲା ୭୨ ହଜାର ୭୩୧ ଭୋଟ୍‌। ବିଜେପିଠାରୁ ୧୫ ହଜାର ୭୮୭ ଅଧିକ ଭୋଟ ପାଇ ଜିତିଥିଲେ ବିଜେଡିର ପ୍ରଦୀପ ମହାରଥୀ। କଂଗ୍ରେସକୁ ମିଳିଥିଲା ମାତ୍ର ୯ ହଜାର ୮୩୦ ଭୋଟ୍‌। ପରିସଂଖ୍ୟାନ ଅନୁଯାୟୀ ୨୦୦୯ ନିର୍ବାଚନରେ ବିଜେଡି ପାଇଥିଲା ୪୯.୧୪ ପ୍ରତିଶତ ଭୋଟ। ୨୦୧୪ରେ ୫୧.୧୯ ପ୍ରତିଶତ ଓ ୨୦୧୯ରେ ଏହି ଦଳକୁ ମିଳିଥିଲା ୫୦.୧୬ ପ୍ରତିଶତ ଭୋଟ୍‌। ସେହିପରି କଂଗ୍ରେସ ୨୦୦୯ରେ ୪୦.୮୫ ପ୍ରତିଶତ, ୨୦୧୪ରେ ୩୦.୪୩ ଓ ୨୦୧୯ ନିର୍ବାଚନରେ ମାତ୍ର ୫.୬୩ ପ୍ରତିଶତ ଭୋଟ୍‌ ପାଇଥିଲା। ଚଳିତ ଉପନିର୍ବାଚନରେ କଂଗ୍ରେସର ଭୋଟ ହାର ଆହୁରି କମିବ ବୋଲି ଲୋକେ କହୁଛନ୍ତି।

ଅସୁସ୍ଥତା କାରଣରୁ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ପିପିଲି ନିର୍ବାଚନ ମଇଦାନରୁ ଦୂରେଇ ଯାଇଅଛନ୍ତି। ଏବେ ମୁଖ୍ୟତଃ ଲଢେଇ ବିଜେଡି ପ୍ରାର୍ଥୀ ତଥା ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ମଧ୍ୟରେ ହେବ। ପିପିଲିର ୨ଲକ୍ଷ ୨୯ ହଜାର ୫୮୩ ଜଣ ଭୋଟର କାହାକୁ ସେମାନଙ୍କ ନେତା ବାଛିବେ ତାହା ଭୋଟ ଗଣତି ପରେ ଜଣାପଡିବ।

Leave A Reply

Your email address will not be published.