ପିପିଲି : ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ସବୁଠାରୁ ଧନୀ

ପୁରୀ : ପିପିଲ ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନେ ଦାଖଲ କରିଥିବା ସତ୍ୟପାଠରେ ଦେଇଛନ୍ତି ସମ୍ପତ୍ତି ତାଲିକା। ଏଥିରି ଜଣାପଡିଛି ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରତାପ ମହାରଥୀ ଅନ୍ୟ ଦଳର ପ୍ରାର୍ଥିମାନଙ୍କ ଠାରୁ ଧନୀ।

ରୁଦ୍ରପ୍ରସାଦ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ତାଙ୍କର ସ୍ଥାବର ସମ୍ପତ୍ତି ୬୩ ଲକ୍ଷ ୭୬ ହଜାର ୪୧୧ ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୩ କୋଟି ୧ ଲକ୍ଷ ଟଙ୍କା। ତାଙ୍କ ନାଁରେ ୧୩ ଲକ୍ଷ ୫୦ ହଜାର ୧୪ ଟଙ୍କା ଋଣ ରହିଛି। ୨୦୧୯-୨୦ରେ ବାର୍ଷିକ ରୋଜଗାର ୧୦ ଲକ୍ଷ ୯୦ ହଜାର ୨୩୦ ଟଙ୍କା। ପିପିଲି କଣ୍ଟି ପାଣିଦୋଳ ଖୋରାପଡାର ରୁଦ୍ରଙ୍କ ପତ୍ନୀ ଜାଗୃତି ପଣ୍ଡାଙ୍କ ସ୍ଥାବର ସମ୍ପତ୍ତି ୨୧ ଲକ୍ଷ ୩୫ ହଜାର ୫୮୬ ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୧୬ ଲକ୍ଷ ୫୦ ହଜାର ଟଙ୍କା। ୨୦୧୯-୨୦ ମସିହାରେ ତାଙ୍କର ବାର୍ଷିକ ରୋଜଗାର ୪ ଲକ୍ଷ ୭୪ ହଜାର ୧୯୦ ଟଙ୍କା। ରୁଦ୍ରଙ୍କ ନାମରେ ବିଭିନ୍ନ ଥାନାରେ ୩ ମାମଲା ରହିଛି। ସେ ଭୁବନେଶ୍ୱର ଏକ କଲେଜରୁ ଏମ୍ବିଏ ମାର୍କେଟିଂ ଆଣ୍ଡ ଏଚ୍ଆର ଶିକ୍ଷା କରିଛନ୍ତି।

ସେହିପରି କଂଗ୍ରେସ ପ୍ରାର୍ଥୀ ହୋଇଥିବା ଡେଲାଙ୍ଗ ମୋଟରୀ ନିକଟ ଅଙ୍କେଇର ଅଜିତ୍ ମଙ୍ଗରାଜଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୩ କୋଟି ୭୭ ଲକ୍ଷ ୯୧ ହଜାର ୮୨୬ ହଜାର ଟଙ୍କା। ତାଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ୨ କୋଟି ୬ ଲକ୍ଷ ୫୧ ହଜାର ୧୪୭ ଟଙ୍କା ଋଣ ରହିଛି। ସେ ଭୁବନେଶ୍ୱର ରାଜଧାନୀ କଲେଜରୁ ଯୁକ୍ତ ୩ ପାସ୍ କରିଛନ୍ତି। ତାଙ୍କ ନାମରେ ବିଭିନ୍ନ ଥାନାରେ ୬ଟି ମାମଲା ରହିଛି। ୨୦୧୯-୨୦ରେ ତାଙ୍କ ବାର୍ଷିକ ରୋଜଗାର ୨୧ ଲକ୍ଷ ୭୪ ହଜାର ୫୨୦ ରହିଥିଲା। ପତ୍ନୀ ବନ୍ଦନା ମଙ୍ଗରାଜଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୪ କୋଟି ୨ ଲକ୍ଷ ୩୩ ହଜାର ୮୭୫ ଟଙ୍କା। ତାଙ୍କ ନାମରେ ୫୬ ଲକ୍ଷ ୨୯ ହଜାର ୨୭ ଟଙ୍କା ଋଣ ରହିଛି। ୨୦୧୯-୨୦ରେ ତାଙ୍କର ବାର୍ଷିକ ରୋଜଗାର ୧୭ ଲକ୍ଷ ୪୯ ହଜାର ୮୭୦ ଟଙ୍କା ବୋଲି ଦର୍ଶଯାଇଛି।

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ସମ୍ପତ୍ତି ତାଲିକା ସହ ଚରିତ୍ର ବିବରଣୀ ସତ୍ୟପାଠରେ ଦେଇଛନ୍ତି। ସୁନା ଗହଣା ସହ ବିଭିନ୍ନ ବ୍ୟାଙ୍କରେ ଜମା ଓ ବୀମାକୁ ତାଙ୍କର ମୋଟ ସମ୍ପତ୍ତି ୪୩ ଲକ୍ଷ୬୭ ହଜାର ୯୨ ଟଙ୍କା। ଜମିବାଡ଼ିର ମୂଲ୍ୟ ୧୯ ଲକ୍ଷ ୨ହଜାର ଟଙ୍କା ରହିଛି। ତାଙ୍କ ନାମରେ ବିଭିନ୍ନ ଥାନାରେ ୧୧ଟି ମାମଲା ବିଚାରାଧୀନ ଅଛି। ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍। ତାଙ୍କ ପତ୍ନୀଙ୍କ ନାମରେ ବ୍ୟାଙ୍କ ବାଲାନ୍ସ ନଗଦ ଟଙ୍କା ବୀମା ଓ ସୁନାଗହଣାକୁ ମିଶାଇ ୩୧ ଲକ୍ଷ ୪୧ ହଜାର ୮୨୬ ଟଙ୍କା ରହିଥିବା ଦର୍ଶାଇଛନ୍ତି।

ସିପିଆଇଏମ୍ଏଲ୍ ଲିବରେସନରୁ ଲଢ଼ୁଥିବା ଅଶୋକ ପ୍ରଧାନଙ୍କ ଘର ଡେଲାଙ୍ଗ ରାମଚନ୍ଦ୍ରପୁର। ତାଙ୍କ ସମ୍ପତ୍ତିର ମୂଲ୍ୟ ୭୮ ଲକ୍ଷ ୧୭ ହଜାର ୧୦୦ ଟଙ୍କା। ଶିକ୍ଷାଗତ ଯୋଗ୍ୟତା ବିଏ, ଏଏଲ୍ଏଲବି। ପତ୍ନୀ ସବିତା ପ୍ରଧାନଙ୍କ ସମ୍ପତ୍ତି ମୂଲ୍ୟ ୧୧ ଲକ୍ଷ ୫୮ ହଜାର ୯୦୦ ଟଙ୍କା। ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆରୁ ଲଢ଼ୁଥିବା ମହମ୍ମଦ ଇମାନ ମୁଦିନଙ୍କ ସମ୍ପତ୍ତି ମୂଲ୍ୟ ୧.୫ ଲକ୍ଷ ଓ ଶିକ୍ଷାଗତ ଯୋଗ୍ୟତା ବ୍ୟାଚଲର ଇନ୍ ଲ’। ଜଟଣି ବଚରାପାଟଣାରେ ତାଙ୍କ ଘର। ଅଖିଳ ଭାରତ ହିନ୍ଦୁ ମହାସଭାରୁ ଲଢ଼ୁଥିବା ଜୟପ୍ରକାଶ ସେଠୀଙ୍କ ଘର ତାଳବଣିଆ କୁମୁଟିପାଟଣା ଜଗନ୍ନାଥ କଲୋନି। ତାଙ୍କ ସମ୍ପତ୍ତିର ମୂଲ୍ୟ ୮ ଲକ୍ଷ ୫୭ ହଜାର ୮୦୦ ଟଙ୍କା।

କଳିଙ୍ଗ ସେନାରୁ ଲଢ଼ୁଥିବା ପିଙ୍ଗଲିନ୍ ମହାନ୍ତିଙ୍କ ଘର ଦାଣ୍ଡମୁକୁନ୍ଦପୁର। ତାଙ୍କ ସମ୍ପତ୍ତିର ମୂଲ୍ୟ ୩୩ ହଜାର ଟଙ୍କା। ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଡେଲାଙ୍ଗ ବେରବୋଇ ଡଁପୁରର ଦୀପକ କୁମାର ଦାଶଙ୍କ ସମ୍ପତ୍ତି ମୂଲ୍ୟ ୬୮ ଲକ୍ଷ ୫୦ ହଜାର ଟଙ୍କା। ଶିକ୍ଷାଗତ ଯୋଗ୍ୟତା ପିଜି। ଏହାଛଡା ଡଃ ନଗେନ୍ଦ୍ର ନାଥ ମିଶ୍ରଙ୍କ ସମ୍ପତ୍ତି ମୂଲ୍ୟ ୨ ଲକ୍ଷ ୨ ହଜାର ୭୪୧ ଟଙ୍କା ଓ ପତ୍ନୀଙ୍କ ସମ୍ପତ୍ତି ମୂଲ୍ୟ ୨୧ ଲକ୍ଷ ଟଙ୍କା। ବେଗୁନିଆ ଡିଙ୍ଗରର ସ୍ୱପ୍ନେଶ୍ୱର ନାୟକଙ୍କ ସମ୍ପତ୍ତି ମୂଲ୍ୟ ୧୦ ହଜାର ୫୦୦। ଶିକ୍ଷାଗତ ଯୋଗ୍ୟତା ଉପଶାସ୍ତ୍ରୀ। ବ୍ରହ୍ମଗିରି କପିଳେଶ୍ୱରପୁର ପଥରପଦାର ସୁଲୋଚନା ସାହୁଙ୍କ ସମ୍ପତ୍ତି ମୂଲ୍ୟ ୧ ଲକ୍ଷ ଟଙ୍କା।

Leave a Reply

Your email address will not be published. Required fields are marked *

Back to top button