ପିପିଲି ଉପ ନିର୍ବାଚନରେ ୧୦ଟି ପ୍ରାର୍ଥୀପତ୍ର କାଏମ

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ମଇଦାନରେ ରହିଛନ୍ତି ୧୦ ଜଣ ପ୍ରାର୍ଥୀ। ମୋଟ ୧୫ ଜଣ ଦାଖଲ ପ୍ରାର୍ଥିପତ୍ର କରିଥିବା ବେଳେ ଦୁଇଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ୩ ଜଣଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଥିବା ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି।

ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଯେଉଁ ଏହି ୧୦ ଜଣଙ୍କର ପ୍ରାର୍ଥୀପତ୍ର କାଏମ ରହିଛି ସେମାନେ ହେଲେ ଅଜିତ ମଙ୍ଗରାଜ (କଂଗ୍ରେସ), ଆଶ୍ରିତ ପଟ୍ଟନାୟକ (ବିଜେପି), ରୁଦ୍ର ପ୍ରତାପ ମହାରଥୀ (ବିଜେଡି), ଅଶୋକ ପ୍ରଧାନ (ସିପିଆଇଏମ୍‌ଏଲ୍‌ ଲିବରେସନ), ଜୟ ପ୍ରକାଶ ସେଠୀ (ଅଖିଳ ଭାରତ ହିନ୍ଦୁ ମହାସଭା), ଫିଙ୍କଲିନ୍‌ ମହାନ୍ତି (କଳିଙ୍ଗ ସେନା), ମହମ୍ମଦ ଇମାମୁଦ୍ଦିନ (ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ- ଆଠାୱାଲେ), ନଗେନ୍ଦ୍ରନାଥ ମିଶ୍ର (ସ୍ୱାଧୀନ), ସୁଲୋଚନା ସାହୁ (ସ୍ୱାଧୀନ) ଓ ସ୍ୱପ୍ନେଶ୍ୱର ନାୟକ (ସ୍ୱାଧୀନ)।

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ମୋଟ ୨,୨୯,୯୯୮ ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୦୭୭ ଜଣ ପୋଷ୍ଟାଲ୍ ବାଲାଟ୍‌ ମାଧ୍ୟମରେ ସେମାନଙ୍କ ମତ ସାବ୍ୟସ୍ତ କରିବେ। ୧୦୭୭ ଜଣଙ୍କ ମଧ୍ୟରୁ ୯୦୯ ଜଣଙ୍କ ବୟସ ୮୦ ବର୍ଷରୁ ଅଧିକ। ବାକି ୧୬୮ ଜଣ ହେଉଛନ୍ତି ଦିବ୍ୟାଙ୍ଗ ଭୋଟର। ଯେଉଁ ଦିବ୍ୟାଙ୍କ ଭୋଟରମାନେ ପୋଷ୍ଟାଲ୍ ବାଲାଟ୍‌ରେ ସେମାନଙ୍କ ମତ ସାବ୍ୟସ୍ତ କରିବେ ନାହିଁ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସଂଖ୍ୟା ୩୦୦୯। ସେମାନଙ୍କୁ ଭୋଟ୍ କେନ୍ଦ୍ର ପର୍ଯ୍ୟନ୍ତ ଆଣିବା ପାଇଁ ୧୦୨ଟି ଅଟୋ ରିକ୍ସାର ବ୍ୟବସ୍ଥା କରାଯାଇଛି।

ପିପିଲି ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ କରାଯାଇଛି। ସେଥିମଧ୍ୟରୁ ୧୦୨ଟି ବୁଥ୍ କ୍ରିଟିକାଲ୍‌ ରହିଛି। ମୋଟ ୧୭୪୦ ଜଣ କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯିବ। ସେମାନଙ୍କୁ ପ୍ରଥମ ପର୍ଯ୍ୟାୟ କରୋନା ଟିକା ମଧ୍ୟ ଦିଆଯାଇଥିବା କହିଛନ୍ତି ସିଇଓ ଶ୍ରୀ ଲୋହାନୀ।

Leave a Reply

Your email address will not be published. Required fields are marked *

Back to top button