ପିପିଲି ଉପନିର୍ବାଚନ : ଅନ୍ତର୍ଘାତୀ କାର୍ଯ୍ୟ କରିପାରନ୍ତି ବିଜେଡି ନେତା !

ଭୁବନେଶ୍ୱର : ପିପିଲି ବିଧାନସଭା ଉପ ନିର୍ବାଚନ ତାରିଖ ପାଖେଇ ଆସୁଛି। ତିନୋଟି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନମଣ୍ଡଳୀରେ ରାଜନୀତି କ୍ରମଶଃ ଉଷ୍ମ ହେବାରେ ଲାଗିଛି। ହାରଜିତକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ହେଲେ ଏବେ କାହାରି ସପକ୍ଷରେ ସ୍ପଷ୍ଟ ଜନମତ ପ୍ରକାଶ ପାଇନି। ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇବା ପରେ ଏହା ଜଣାପଡିବ। ତେବେ ୨୦୧୯ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା ହେଉଛି। କେତେକ କହୁଛନ୍ତି ଏଥର କଂଗ୍ରେସ ଭୋଟ ନିର୍ଣ୍ଣାୟକ ହେବ। ଆଉ କେତେକଙ୍କ ମତ କ୍ରାଇସିସ ମ୍ୟାନେଜର ପ୍ରଣବ ପ୍ରକାଶ ଦାସ (ବବି) ଯଦି ଦାୟିତ୍ଵ ନସମ୍ଭାଳିବେ ବିଜେଡିର କିଛି ନେତା ଅନ୍ତର୍ଘାତୀ କାର୍ଯ୍ୟ କରିବାର ସମ୍ଭାବନା ରହିଛି।

ଆସନ୍ତା ଅପ୍ରେଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହେବ। ମେ’ ଦୁଇ ତାରିଖରେ ପ୍ରକାଶ ପାଇବ ଫଳାଫଳ। ଇତି ମଧ୍ୟରେ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ସରିଛି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିସାରିଲେଣି। ମାର୍ଚ୍ଚ ୩୦ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବାରୁ ଆସନ୍ତାକାଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହା ପରଠାରୁ ଜୋରଦାର ହେବ ପ୍ରଚାର ଅଭିଯାନ। ପିପିଲି ନିର୍ବାଚନମଣ୍ଡଳୀର ୪୬ ପଞ୍ଚାୟତ (ପିପିଲି ବ୍ଲକ ୨୫, ଡେଲାଙ୍ଗ ୨୧) ଓ ପିପିଲି ଏନ୍‌ଏସିର ୧୬ଟି ୱାର୍ଡର ଭୋଟର ନେତା ବାଛିବେ।

ପିପିଲି ଉପ ନିର୍ବାଚନକୁ ଲକ୍ଷ୍ୟ କଲେ ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ହେଉଛନ୍ତି ନବାଗତ। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିତାଙ୍କ ପରିଚୟକୁ ନେଇ ସେ ନିର୍ବାଚନ ଲଢିବେ। ସେହିପରି ୨୦୧୯ରେ ପ୍ରାର୍ଥୀ ହୋଇଥିବା ବିଜେପିର ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସର ଅଜିତ ମଙ୍ଗରାଜ ଦଳ ଏବଂ ନିଜର ଲୋକପ୍ରିୟତାକୁ ନେଇ ଭାଗ୍ୟ ପରୀକ୍ଷା କରିବେ। କୁହାଯାଉଛି ବିଜେପି ଓ ବିଜେଡି ଯୁବ ଭୋଟରଙ୍କୁ ନିଜ ସପକ୍ଷରେ ନେବାପାଇଁ ପ୍ରାର୍ଥୀ ଚୟନ କରିଛନ୍ତି। କଂଗ୍ରେସ ଏ କ୍ଷେତ୍ରରେ ପଛରେ ରହିଛି।

ସେହିପରି ଯଦି ୨୦୧୯ ନିର୍ବାଚନ ଫଳାଫଳକୁ ଦେଖାଯାଏ ବିଜେପି ପ୍ରାର୍ଥୀ ଆଶ୍ରିତ ମାତ୍ର ୧୫ ହଜାର ୭୮୭ ଖଣ୍ଡ ଭୋଟରେ ପ୍ରଦୀପ ମହାରଥୀଙ୍କ ଠାରୁ ପରାଜିତ ହୋଇଥିଲେ। ଆଶ୍ରିତଙ୍କୁ ୭୨,୭୩୧ ଖଣ୍ଡ ଭୋଟ ମିଳିଥିବା ବେଳେ ମହାରଥୀ ପାଇଥିଲେ ୮୮,୫୧୮ ଖଣ୍ଡ ଭୋଟ୍। ଏଥର ସ୍ଥିତି ବଦଳିବ ବୋଲି ଆଶ୍ରିତ ଆଶା ରଖିଛନ୍ତି। କାରଣ ହେଲା ତାଙ୍କ ପୂର୍ବ ପ୍ରତିଦ୍ଵନ୍ଦ୍ଵୀଙ୍କର ପରଲୋକ ହୋଇଛି। ତାଙ୍କ ପୁଅକୁ ବିଜେଡି ପ୍ରାର୍ଥୀ କରିଥିଲେ ହେଁ ସେ ନିର୍ବାଚନମଣ୍ଡଳୀରେ ନୂଆ। ତାହାଛଡା ଆଶ୍ରିତ ପୂର୍ବରୁ ବିଜେଡିରେ ଥିଲେ। ସେଥିପାଇଁ ଭୋଟରଙ୍କୁ ନିଜ ସପକ୍ଷରେ ନେବାପାଇଁ ସେ ଲାଗିପଡିଛନ୍ତି।

ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ନବାଗତ ହେଲେ ମଧ୍ୟ ତାଙ୍କ ପଛରେ ରହିଛି ଦଳର ସୁପ୍ରିମୋ ନବୀନଙ୍କ ଆର୍ଶୀବାଦ ଓ ବାପଙ୍କ ଶୁଭେଚ୍ଛୁମାନଙ୍କ ସହଯୋଗ। ଏହାକୁ ନେଇ ସେ ଜିତିବା ପାଇଁ ଆଶା ବାନ୍ଧିଛନ୍ତି। ହେଲେ କଥା ଉଠୁଛି ତାଙ୍କ ନିଜ ଜିଲ୍ଲାର ନେତା ଏପାଖ ସେପାଖ କରିପାରନ୍ତି। ଏଥିପ୍ରତି ସଜାଗ ନହେଲେ ଚକିପାଣି କହୁଣିକୁ ବୋହିଗଲା ପରି ହେବ।

ସେହିପରି ପିପିଲି ପାଇଁ କଂଗ୍ରେସର ଏକାଧିକ ଆଶାୟୀ ଥିଲେ ବୋଲି କୁହାଯାଉଛି। ହେଲେ ହାଇକମାଣ୍ଡ ଅଜିତ ମଗରାଜଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିଛନ୍ତି। ତେଣୁ ଉପନିର୍ବାଚରେ ନିର୍ବାଚନମଣ୍ଡଳୀ ନେତାଙ୍କ ଆନ୍ତରିକ ସହଯୋଗ ମିଳିବ ବୋଲି କୁହାଯାଇପାରୁନି। ବିଗତ ନିର୍ବାଚନର ଫଳାଫଳ ଏହାହିଁ ସୂଚିତ କରୁଛି। ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ଦଳୀୟ ଟିକେଟ ଫେରାଇବା ଭୋଟ ବିଭାଜନ ହୋଇଯାଇଥିଲା।

ଏହା ପୂର୍ବ ନିର୍ବାଚନକୁ ଦେଖିଲେ ୨୦୦୯ରେ ପିପିଲିରୁ ବିଜେଡି ପାଇଥିଲା ୭୪ ହଜାର ୧୧୨ ଭୋଟ। କଂଗ୍ରେସ ୬୧ ହଜାର ୬୦୭ ଓ ବିଜେପିକୁ ମିଳିଥିଲା ୧୧ ହଜାର ୧୩୮ ଭୋଟ। ୨୦୧୪ରେ ବିଜେଡି ୮୨ ହଜାର ୫୫୦, କଂଗ୍ରେସ ୪୯ ହଜାର ୭୬ ଓ ବିଜେପି ୭ ହଜାର ୬୫୬ ହଜାର ଭୋଟ ପାଇଥିଲା। ୨୦୧୯ରେ କଂଗ୍ରେସକୁ ମିଳିଲା ମାତ୍ର ୯ ହଜାର ୮୩୦ ଭୋଟ। ତୃତୀୟ ସ୍ଥାନରେ ରହିଥିବା ବିଜେପି ୭୨ ହଜାରରୁ ଅଧିକ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଲା। ଏହି ଉପ ନିର୍ବାଚନରେ କଂଗ୍ରେସ ଦଳୀୟ ଭୋଟକୁ ହାସଲ କରିବାରେ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *

Back to top button