ପିପିଲି ଉପନିର୍ବାଚନ : ଅଜିତଙ୍କ ପତ୍ନୀ ହେବେ କଂଗ୍ରେସ ପ୍ରାର୍ଥୀ !

ଭୁବନେଶ୍ୱର : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା। ନୂଆ ତାରିଖ ପାଇଁ ଆଜି ସାନି ବିଜ୍ଞପ୍ତି ପ୍ରକାଶ ପାଇବା ପରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନେକଙ୍କ ମତ ସ୍ଵର୍ଗତ ଅଜିତଙ୍କ ପତ୍ନୀ ବନ୍ଦନାଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ। ଏହାଦ୍ଵାରା ଅନୁକମ୍ପା ଭୋଟ ମିଳିବାର ସୁଯୋଗ ରହିଛି।

ଏବେ ସାଧାରଣରେ ହେଉଥିବା ଆଲୋଚନା ଅନୁଯାୟୀ ପିପିଲି ଉପନିର୍ବାଚନ ଲଢିବା ପାଇଁ କଂଗ୍ରେସର ଅନେକ ଆଶାୟୀ ରହିଛନ୍ତି। ଯଦି ଦଳ ବନ୍ଦନାଙ୍କୁ ପ୍ରାର୍ଥୀ କରେ ତେବେ ସେମାନେ ଆନ୍ତରିକ ସହଯୋଗ କରିବେ ବୋଲି କୁହାଯାଇ ପାରିବ ନାହିଁ। ଏହାର କାରଣ ହେଲା ନିର୍ବାଚନରେ ହାରୁ କିମ୍ବା ଜିତୁ କଂଗ୍ରେସରୁ ଥରେ ବିଧାୟକ ପ୍ରାର୍ଥୀ ହେଲେ ପରବର୍ତ୍ତୀ ନିର୍ବାଚନ ସମୟରେ ସେହି ନାଁ’ ଟିକଟ ଚର୍ଚ୍ଚାରେ ରହିଥାଏ। ତେଣୁ ଅନ୍ୟ ଆଶାୟୀମାନେ ବନ୍ଦନାଙ୍କୁ ବାଟ ଛାଡିବେ ବୋଲି କୁହାଯାଇ ପାରୁନି।

ଅନ୍ୟପକ୍ଷରେ ବନ୍ଦନା ଜଣେ ରାଜନେତାଙ୍କ ପତ୍ନୀ। ସେ ଊଣା ଅଧିକେ କଂଗ୍ରେସ ରାଜନୀତି ସମ୍ପର୍କରେ ଅବଗତ ଥିବେ। ତାହାଛଡା ସେ ପ୍ରାର୍ଥୀ ହେବାକୁ ରାଜି ହେବେ କି ନାହିଁ ତାହା କାହାରିକୁ ଜଣାନାହିଁ। କିନ୍ତୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ନିକଟରେ ବନ୍ଦନା ସ୍ଵାମୀ ଓ ଶାଶୁଙ୍କୁ ହରାଇଛନ୍ତି। ଏହି ସମୟରେ ନିର୍ବାଚନ ଲଢିବା ପାଇଁ ସେ ମାନସିକ ଭାବେ ପ୍ରସ୍ତୁତ ହେବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରୁଛି। ତେବେ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଆସିବା ପରେ ଏ ବିଷୟରେ ସ୍ପଷ୍ଟ ସୂଚନା ମିଳିବ।

ସେହିପରି ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ବନ୍ଦନାଙ୍କୁ ପ୍ରାର୍ଥୀ କଲେ ଦଳ ଭଲ କରିବ। କଂଗ୍ରେସ କର୍ମୀମାନେ ତାଙ୍କ ପାଇଁ ନିଜ ହାତରୁ ଖର୍ଚ୍ଚ କରିବେ। ଆଉ କେତେକଙ୍କ ମତ ବନ୍ଦନାଙ୍କୁ ଲୋକଙ୍କ ସହାନୁଭୂତି ମିଳିବ। ତେବେ ଦେଖାଯାଉ କଗ୍ରେସ ପିପିଲି ଉପନିର୍ବାଚନ ପାଇଁ କାହାକୁ ପ୍ରାର୍ଥୀ କରୁଛି।

Leave a Reply

Your email address will not be published. Required fields are marked *

Back to top button