ପିପିଲି ଉପନିର୍ବାଚନ : କରୋନା ବାଣ୍ଟିବେ ରାଜନେତା !

0

ଭୁବନେଶ୍ଵର : ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇସାରିଛି। ଆସନ୍ତା ୧୬ ତାରିଖରେ ଭୋଟ। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପୂର୍ବରୁ ନିର୍ବାଚନମଣ୍ଡଳୀରେ ଚାଲିଥିଲା ଜୋରଦାର ପ୍ରଚାର। ଏବେ କାରୋନାର ପ୍ରଭାବ ଏଥିରେ ବାଧକ ହୋଇଥିଲେ ହେଁ ନେତା ବୁଲିବେ। ସଭା-ଶୋଭାଯାତ୍ରା ନହେଲେ ମଧ୍ୟ ସେମାନେ ଘରକୁ ଘର ବୁଲି ଲୋକଙ୍କୁ ଭେଟିବେ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ଗାଁ ଗାଁ’ରେ କରିବେ ବୈଠକ। ଏହାର ପରିଣାମ କୁମ୍ଭମେଳାପରି ହୋଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। କେତେକ ଲଘୁ ମନ୍ତବ୍ୟ ଦେଇ କହୁଛନ୍ତି ବିଭିନ୍ନ ଦଳର ରାଜନେତାମାନେ ପିପିଲି-ଡେଲାଙ୍ଗ ପ୍ରଚାରରେ ଯାଇ କରୋନା ବାଣ୍ଟିବେ।

ପିପିଲି ଉପନିର୍ବାଚନ ପାଇଁ ଆହୁରି ପାଖାପାଖି ଚାରି ସପ୍ତାହ ବାକି ଅଛି। ଶହଶହ ରାଜନେତା ପିପିଲି-ଡେଲାଙ୍ଗରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଗାଁ ଗାଁ ବୁଲୁ ଲୋକଙ୍କୁ ଭେଟିବେ। ତେବେ ସେମାନେ କରୋନା ସଂକ୍ରମିତ ନୁହଁନ୍ତି ଏ କଥା କିଏ ଦେଖିବ ? ସେମାନଙ୍କ ନେଗେଟିଭ ପ୍ରମାଣପତ୍ର କିଏ ଯାଞ୍ଚ କରିବ ? ଏହି ପ୍ରସଙ୍ଗ ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି। ଲୋକେ କହୁଛନ୍ତି ବିଧାନସଭା ଚାଲିବା ବେଳେ ମନ୍ତ୍ରୀ, ବିଧାୟକ, ସରକାରୀ କର୍ମଚାରୀ ଓ ସାମ୍ବାଦିକଙ୍କର କରୋନା ଟେଷ୍ଟ ହେଲା। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିଲା ସେମାନଙ୍କୁ ବିଧାନସଭା ଓ ଏହାର ପରିସରକୁ ମିଳିଲା ଅନୁମତି। କିନ୍ତୁ ପିପିଲି ଉପନିର୍ବାଚନରେ ରାଜ୍ୟର ବିଭିନ୍ନ ଅଞ୍ଚଳର ନେତା ଓ ତାଙ୍କ ଟିମ୍ ଯାଇ ପ୍ରଚାର କରିବେ। ବର୍ତ୍ତମାନ ପରିସ୍ଥିତିରେ ଧର୍ମାନୁଷ୍ଠାନ-ଶିକ୍ଷାନୁଷ୍ଠାନ ସବୁ ବନ୍ଦ। ସବୁଆଡେ କରୋନା କଟକଣା। ସେହି ଆଧାରରେ ଉପନିର୍ବାଚନ ପ୍ରଚାରରେ ଯାଉଥିବା ବ୍ୟକ୍ତିମାନଙ୍କର କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଉନି କାହିଁକି ?

ଅବଶ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଏକ ନିଷ୍ପତ୍ତି ନେଇଛନ୍ତି। ସେ ଘୋଷଣା କରିଛନ୍ତି ତାଙ୍କ ଦଳ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପିପିଲି ନିର୍ବାଚନମଣ୍ଡଳୀରେ ରାଲି କିମ୍ବା ସଭା କରିବ ନାହିଁ। ଯାହାକୁ ସବୁ ମହଲରେ ସ୍ଵାଗତ କରାଯାଇଛି। କିନ୍ତୁ ନିର୍ବାଚନରେ ଭାଗନେଇଥିବା ଅନ୍ୟ ଦଳ ଗୁଡିକ ଏହି ରାସ୍ତାରେ ଚାଲିବା ଉଚିତ। ନଚେତ ବିଜେଡି ମୁଖିଆଙ୍କ ନିଷ୍ପତ୍ତିର କିଛି ସୁଫଳ ମିଳିବ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିପିଲି ନିର୍ବାଚନ ପ୍ରଚାରକୁ ପୂର୍ବରୁ ଯାଇଥିବା ଜିଲ୍ଲା ବାହାର ନେତା ଓ କର୍ମୀ କରୋନା ସଂକ୍ରମିତ ହୋଇଥିବା କୁହାଯାଉଛି। ଯଦି ବିନା ଟେଷ୍ଟରେ ନିର୍ବାଚନମଣ୍ଡଳୀ ବାହାର ନେତା ଓ କର୍ମୀ ପୁଣି ପ୍ରଚାରକୁ ଆସନ୍ତି ତେବେ ସ୍ଥିତି ବିଗିଡିବାର ସମ୍ଭାବନା ରହିବ। ଏପରି ଆଶଙ୍କା କରାଯିବାର କାରଣ ହେଲା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗୁରୁବାର ୬ ହଜାର ଟପିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପିପିଲି ନିର୍ବାଚନମଣ୍ଡଳୀକୁ ବାହାର ନେତାଙ୍କ ପ୍ରବେଶ ଉପରେ କଟକଣା ଲଗାଯିବା ଉଚିତ। ସ୍ଥାନିତ ଲୋକମାନେ ମଧ୍ୟ ନିଜେ ଓ ପରିବାରର ସୁରକ୍ଷା ପାଇଁ ଆପତ୍ତି ଉଠାଇବା ଦରକାର। ଏହାଛଡା ବାହାର ଲୋକଙ୍କ ବିନା ପ୍ରଚାରରେ ପିପିଲିବାସୀ ନିଜ ଇଚ୍ଛାରେ ଚୟନ କରିଥିବା ପ୍ରାର୍ଥୀଙ୍କୁ ଭୋଟ ଦେଇ ଉଦାହରଣ ସୃଷ୍ଟି କରନ୍ତୁ।

ଅନ୍ୟପକ୍ଷରେ ବୁଦ୍ଧିଜୀବୀଙ୍କ ମତହେଲା ପିପିଲି ଉପନିର୍ବାଚନରେ କିଏ ହାରିବ, କିଏ ଜିତିବା ବଡ କଥା ନୁହେଁ। ପିପିଲି-ଡେଲାଙ୍ଗବାସୀଙ୍କ ସୁରକ୍ଷାକୁ ରାଜନୈତିକ ଦଳର ମୁଖିଆମାନେ ଗୁରୁତ୍ଵ ଦେଇ ଜିଲ୍ଲା ବାହାର ନେତାଙ୍କୁ ପ୍ରଚାର ପାଇଁ ପଠାଇବା ଉଚିତ ନୁହେଁ। ନଚେତ ଧରିନେବାକୁ ହେବ କ୍ଷମତା ପାଇଁ ସାଧାରଣ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲିଦେଉଛନ୍ତି। ଲୋକେ ଏହାର ବିଚାର କରନ୍ତୁ ଓ ସଠିକ ନିଷ୍ପତ୍ତି ନିଅନ୍ତୁ ବୋଲି ସେମାନେ ମତ ଦେଇଛନ୍ତି।

Leave A Reply

Your email address will not be published.