ପିତୃ ତର୍ପଣର ପର୍ବ ପିତୃପକ୍ଷ

॥ ଗୋପାଳ ମହାପାତ୍ର ॥
ଭାରତୀୟ ସଂସ୍କୃତି ଉତ୍ସବ ଏବଂ ଶ୍ରଦ୍ଧା ପ୍ରଧାନ ସଂସ୍କୃତି । ବର୍ଷର ପ୍ରତି ମାସରେ କିଛି ନା କିଛି ଉତ୍ସବ ରହିଛି ଯେଉଁଥିରେ ଧାର୍ମିକତା ତ ରହିଛି ଏଥିସହିତ ମନୁଷ୍ୟର ସଂସ୍କାର ଉପରେ ଏହାର ପ୍ରଭାବ ମଧ୍ୟ ରହିଛି । ଏବେ ଆଶ୍ୱିନ ମାସ ଚାଲିଛି । ଏହି ମାସର ପ୍ରଥମ ପକ୍ଷ ଶ୍ରାଦ୍ଧ ପକ୍ଷ ବା ପିତୃପକ୍ଷ ଭାବରେ ବିଦିତ । ଏହି ପକ୍ଷ ବା ୧୫ଦିନରେ ସନାତନ ଧର୍ମାବଲମ୍ବୀମାନେ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି ଏବଂ ପିତୃପୁରୁଷଙ୍କ ଶ୍ରାଦ୍ଧ କରିଥାନ୍ତି । ସନାତନ ସଂସ୍କୃତିରେ ମାନ୍ୟତା ରହିଛି ଯେ ମନୁଷ୍ୟର ଯେଉର୍ ଭାବାତ୍ମକ ଋଣ ରହିଛି ସେଥିମଧ୍ୟରୁ ପିତୃ ଋଣ ଅନ୍ୟତମ । ପିତୃ ଋଣ ପରିଶୋଧ କରିବା ପାଇଁ ମନୁଷ୍ୟ ଶ୍ରାଦ୍ଧ ପକ୍ଷରେ ପିତୃ ପୁରୁଷଙ୍କ ସ୍ମୃତିରେ ଶ୍ରାଦ୍ଧ, ତର୍ପଣ କରିଥାନ୍ତି । ମହର୍ଷି ବେଦବ୍ୟାସ ଉତ୍ତର ମିମାଂଶାରେ ଶ୍ରାଦ୍ଧ ସମ୍ପର୍କରେ ଲେଖିଛନ୍ତି ଯେ “ବ୍ୟତିରେ ସଦ୍‌ଭାବା ଭାବିତ୍ୱାନଂ ତୁଫଳ ଦିବତ୍‌” ଅର୍ଥାତ୍ ଶରୀର ଠାରୁ ଆତ୍ମା ଭିନ୍ନ ଅଟେ କାରଣ ଶରୀରରେ ଆତ୍ମା ବିଦ୍ୟମାନ ହୋଇ ମଧ୍ୟ ସେ ଅଦୃଶ୍ୟ ଓ ଅସ୍ପୃଶ୍ୟ ଭାବରେ ରହିଥାଏ । ଆତ୍ମାର ଗତି ମଧ୍ୟ ବହୁତ ସୂକ୍ଷ୍ମ । ଏହା ଲୋକାନ୍ତର ପର୍ଯ୍ୟନ୍ତ ଗମନ କରି ନିଜର ସଂକଳ୍ପ ଅନୁସାରେ ଶରୀରକୁ ମଧ୍ୟ ଧାରଣ କରିଥାଏ । କହିବାର ଅଭିପ୍ରାୟ ହେଉଛି ଜୀବ ବା ମନୁଷ୍ୟ ଦେହ ତ୍ୟାଗ କରିବା ପରେ ଯେଉଁ ନୂଆ ଶରୀର ଧାରଣ କରିଥାଏ ତାହା ଆତ୍ମାର ସଂକଳ୍ପର କାରଣରୁ ହିଁ ହୋଇଥାଏ । ଭାରତୀୟ ଦର୍ଶନ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ଶରତ ଋତୁର ଆଶ୍ୱିନ ମାସର କୃଷ୍ଣ ପକ୍ଷରେ ଗ୍ରହମାନଙ୍କର ସ୍ଥିତି ପିତରଗଣ ନିଜ ନିଜର ବଂଶଜମାନଙ୍କର ପାଥେୟ ବା ସହଯୋଗ ଶ୍ରଦ୍ଧା ପାଇବା ପାଇଁ ଅନୁକୂଳ ହୋଇଥାଏ । ଏହି ପ୍ରକ୍ରିୟାର ନାମ ହେଉଛି ଶ୍ରାଦ୍ଧ ।

ଶ୍ରାଦ୍ଧକୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଯଜ୍ଞ ବୋଲି ମଧ୍ୟ କୁହାଯାଏ । କୁର୍ମ ପୁରାଣରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଶାନ୍ତ ମନରେ ବିଧିପୂର୍ବକ ଶ୍ରାଦ୍ଧ କରିଥାଏ ତାର ସମସ୍ତ ପାପ ଦୂରେଇ ଯାଏ । ପିତୃପକ୍ଷରେ ଦିଆଯାଉଥିବା ଶ୍ରାଦ୍ଧକୁ ମହାଳୟା ଶ୍ରାଦ୍ଧ ବୋଲି କୁହାଯାଏ । ବୈଦିକ କାଳରୁ ଏହି ପରମ୍ପରା ଚାଲିଆସିଛି । ବାଲ୍ମୀକି ରାମାୟଣରେ ସୀତାଙ୍କ ଦ୍ୱାରା ଦିଆଯାଇଥିବା ପିଣ୍ଡଦାନ କାରଣରୁ ଦଶରଥଙ୍କ ଆତ୍ମା ମୋକ୍ଷପ୍ରାପ୍ତି ହୋଇଥିବା କଥା ଉଲ୍ଲେଖ ରହିଛି । ଶ୍ରାଦ୍ଧ ମୁଖ୍ୟତଃ ନିଜର ଅସ୍ତିତ୍ୱରେ, ନିଜର ମୂଳ ସହ ସଂଯୋଗ ସ୍ଥାପନ କରିବା ଏବଂ ନିଜର ଜଡ଼ ସହିତ ଜଡ଼ିତ ହେବା, ତାକୁ ଚିହ୍ନିବା ଓ ସମ୍ମାନ ଦେବାର ସାମାଜିକ ପ୍ରକ୍ରିୟା । ପ୍ରତ୍ୟେକ ବ୍ୟକ୍ତିର ତିନି ପୂର୍ବଜ ଯଥା ପିତା, ପିତାମହ ଓ ପ୍ରପିତାମହଙ୍କୁ ବସୁ, ରୁଦ୍ର ଏବଂ ଆଦିତ୍ୟ ବୋଲି ଗ୍ରହଣ କରାଯାଇଥାଏ । ଶ୍ରାଦ୍ଧ ସମୟରେ ଏହିମାନଙ୍କୁ ସବୁ ପୂର୍ବଜଙ୍କ ପ୍ରତିନିଧିବୋଲି ଗ୍ରହଣ କରାଯାଏ । ଶ୍ରାଦ୍ଧର ଶାଦ୍ଦିକ ଅର୍ଥ ହେଉଛି ଯାହା ଶ୍ରଦ୍ଧାରେ ଦିଆଯାଏ । ସଂସ୍କୃତରେ ଉଲ୍ଲେଖ ରହିଛି, “ଶ୍ରଦ୍ଦୟା ଦୀୟତେ ଯତ୍ ତତ୍ ଶ୍ରାଦ୍ଧମ୍‌” । ମାନ୍ୟତା ରହିଛି ଯେ ଶ୍ରାଦ୍ଧ ପରେ ପିତୃପୁରୁଷଙ୍କ ପାଇଁ ତର୍ପଣ କରାଗଲେ, ବ୍ରାହ୍ମଣ ଭୋଜନ କରାଗଲେ ବର୍ଷସାରା ପିତୃପୁରୁଷ ପ୍ରସନ୍ନ ରହିଥାନ୍ତି । ଶ୍ରାଦ୍ଧ ପକ୍ଷ ବା ପିତୃପକ୍ଷର ୧୫ ଦିନ ଯାକ ତର୍ପଣ ଓ ଶ୍ରାଦ୍ଧ ପାଇଁ ଅନୁକୂଳ ଅଟେ । ବର୍ଷର ଯେକୌଣସି ମାସରେ ସ୍ୱର୍ଗବାସ କରିଥିବା ପିତୃପୁରୁଷଙ୍କ ପାଇଁ ପିତୃପକ୍ଷର ସେଇ ତିଥିରେ ଶ୍ରାଦ୍ଧ କରିବା କଥା ଶାସ୍ତ୍ରରେ କୁହାଯାଇଛି । ପାରମ୍ପରିକ ଦୃଷ୍ଟିରେ ପିତା ବା ମାତାଙ୍କର ଯେଉଁ ତିଥିରେ ସ୍ୱର୍ଗବାସ ହୋଇଥାଏ ସେହି ତିଥିରେ ଶ୍ରାଦ୍ଧ କରାଯାଇଥାଏ କିନ୍ତୁ ତର୍ପଣ ସବୁଦିନ କରାଯାଇପାରେ । ଦେବତା ତଥା ଋଷିମାନଙ୍କ ସହିତ ପିତୃପୁରୁଷଙ୍କ ନାମରେ ଜଳ ପ୍ରଦାନ (ତର୍ପଣ) କରାଯାଇ ସେମାନଙ୍କୁ ତୃପ୍ତ କରାଯିବାର ପରମ୍ପରା ରହିଛି । ଋକ୍ ବେଦରେ ଶ୍ରାଦ୍ଧ ବିଷୟରେ ଉଲ୍ଲେଖ କରାଯାଇଛି- “ଅଗ୍ନିଷଃ ଅଗ୍ନିସ୍ୱାତଃ ପିତର ଏତଗଛତଃ ସଦଃ ସଦଃ ସଦତଃ ସୁପ୍ରଣିୟତଃ ।” ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମାସର ଅମାବାସ୍ୟା ପିତୃପୁରୁଷଙ୍କ ପୁଣ୍ୟ ତିଥି ଅଟେ । କିନ୍ତୁ ଆଶ୍ୱିନ ମାସର ଅମାବାସ୍ୟା ଦିନଟି ପିତୃପୁରୁଷଙ୍କ ପାଇଁ ଅଧିକ ଗୁରୁତ୍ୱ ବହନ କରିଥାଏ । ଏହି ଅମାବାସ୍ୟା ପିତୃପୁରୁଷଙ୍କ ପାଇଁ ଅଧିକ ଫଳଦାୟୀ । ସେହିପରି ନବମୀ ତିଥିର ମଧ୍ୟ ଅଧିକ ଗୁରୁତ୍ୱ ରହିଛି । ମାତାଙ୍କ ଶ୍ରାଦ୍ଧ ପାଇଁ ନବମୀ ତିଥିକୁ ଅଧିକ ଗୁରୁତ୍ୱ ଦିଆଯାଏ । ଗରୁଡ଼ ପୁରାଣରେ ଉଲ୍ଲେଖ ରହିଛି ଯେ ଶ୍ରାଦ୍ଧ କରିବା ପାଇଁ ଶ୍ରେଷ୍ଠ ସ୍ଥାନ ହେଉଛି ଗୟା । ପିତୃପୁରୁଷଙ୍କ ମୁକ୍ତି ପାଇଁ ଗୟାରେ ଶ୍ରାଦ୍ଧ ବା ପିଣ୍ଡଦାନ କୁ ପରମ ପୁଣ୍ୟଦାୟୀ ବୋଲି କୁହାଯାଏ।

ଧର୍ମଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କୁ ଯେଉଁ ଗୃହସ୍ଥ ପିଣ୍ଡଦାନ କରେ ସେ ଦୀର୍ଘାୟୁ, ପୁତ୍ରପୌତ୍ରାଦି ଯୁକ୍ତ, ଯଶ ଓ ସ୍ୱର୍ଗ ପ୍ରାପ୍ତି କରିଥାଏ । ଲକ୍ଷ୍ମୀଙ୍କ ବରଦାନ ମଧ୍ୟ ପାଇଥାଏ । କୁହାଯାଏ ଯେ ପିତୃ ପୁରୁଷଙ୍କ କୃପାରୁ ତାର ସମସ୍ତ ପ୍ରକାରର ଶୁଭ ହୁଏ। ସମୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତି ହୁଏ ଏପରିକି ସେ ମୋକ୍ଷ ପ୍ରାପ୍ତି କରିଥାଏ । ଶାସ୍ତ୍ରରେ ଏକଥା ମଧ୍ୟ ଉଲ୍ଲେଖ ରହିଛି ଯେ ଆଶ୍ୱିନ ମାସର ପିତୃପକ୍ଷରେ ପୁତ୍ର-ପୌତ୍ରାଦିଙ୍କ ଠାରୁ ତର୍ପଣ ଓ ପିଣ୍ଡର ଆଶା ରଖିଥାନ୍ତି ପିତୃ ପୁରୁଷ । ତର୍ପଣ ଓ ପିଣ୍ଡ ପାଇବା ଆଶାରେ ପିତୃପୁରୁଷ ପିତୃ ଲୋକରୁ ପୃଥିବୀ ଲୋକକୁ ଏହି ସମୟରେ ଆସିଥାନ୍ତି । ଏହି ଦୃଷ୍ଟିରୁ ପ୍ରତ୍ୟେକ ଗୃହସ୍ଥ ପିତୃପକ୍ଷରେ ତର୍ପଣ କରିବା ସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବା ପିଣ୍ଡଦାନ କରିବା ଉଚିତ୍ । ପିତୃପକ୍ଷ ପିତୃପୁରୁଷଙ୍କ ପାଇଁ ଉତ୍ସବର ସମୟ । ମନୁ ସ୍ମୃତିରେ ଉଲ୍ଲେଖ ରହିଛି ଯେ ଯେଉଁ ପରିବାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇନଥାଏ ସେହି ପରିବାରରେ ପ୍ରତିଷ୍ଠାବାନ, ଦୀର୍ଘାୟୁ ବ୍ୟକ୍ତି ଜନ୍ମ ହୋଇନଥାନ୍ତି । ସବୁ ଧର୍ମ ଗ୍ରନ୍ଥରେ ପିତୃପକ୍ଷରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା କଥା ଉଲ୍ଲେଖ ରହିଛି। ଏକଥା ମଧ୍ୟ ଉଲ୍ଲେଖ ରହିଛି ଯେ ଯେଉଁ ବ୍ୟକ୍ତି ନିଜର ପିତା-ମାତାଙ୍କର ଶ୍ରାଦ୍ଧ ତାଙ୍କ ସ୍ୱର୍ଗବାସ ତିଥିରେ କରିପାରିନଥାଏ ସେ ପିତୃପକ୍ଷର ଅମାବାସ୍ୟାରେ ପିତା-ମାତାଙ୍କ ଶ୍ରାଦ୍ଧ କରିପାରିବେ । ନିର୍ଣ୍ଣୟ ସିନ୍ଧୁରେ ଉଲ୍ଲେଖ ଅଛି ଯେ ପିତୃପକ୍ଷରେ ପିତାଙ୍କ ପାଇଁ ପାର୍ବଣ ଶ୍ରାଦ୍ଧ କରିବା ଉଚିତ୍ । ଋଷିମୁନୀମାନେ କହିଛନ୍ତି ଯେ ସବୁ ଜୀବ (ମନୁଷ୍ୟ) ପତୃପକ୍ଷ ଉତ୍ସବ ପାଳନ କରିବା ଉଚିତ୍ ।

ଶ୍ରାଦ୍ଧ ଭାବନା ସହ ଯୋଡ଼ି ହୋଇଯାଇଛି । ଶ୍ରୀମଦ୍‌ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଉପଦେଶ ଦେବାବେଳେ ପିତୃପୁରୁଷଙ୍କ ମହତ୍ୱକୁ ପ୍ରତିପାଦନ କରିଛନ୍ତି ଏବଂ ପିତୃପକ୍ଷରେ ସେମାନଙ୍କୁ ସନ୍ତୁଷ୍ଟ କରିବାର ସନ୍ଦେଶ ଦେଇଛନ୍ତି । ଏହି ପିତୃପକ୍ଷରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରାଯାଇ ନଥାଏ କାରଣ ଏହି ସମୟ କେବଳ ପିତୃପୁରୁଷଙ୍କ ପୂଜା ଅର୍ଚ୍ଚନା ଏବଂ ସେମାନଙ୍କୁ ସନ୍ତୁଷ୍ଟ କରିବାର ସମୟ । ଶାସ୍ତ୍ର ଅନୁସାରେ ଶ୍ରାଦ୍ଧପକ୍ଷ ବା ପିତୃପକ୍ଷରେ ପିତୃପୁରୁଷ ଏହି ଧରାପୃଷ୍ଠକୁ ଆସିଥାନ୍ତି । ଦେବତାମାନେ ଏ ସମୟରେ ପୃଥିବୀ ପୃଷ୍ଠକୁ ଆସିନଥାନ୍ତି ଏଣୁ ଶୁଭ କାର୍ଯ୍ୟ ପାଇଁ ଏହି ପକ୍ଷ (୧୫ଦିନ) କୁ ଶ୍ରେଷ୍ଠ ନୁହେଁ ବୋଲି କୁହାଯାଏ । ଧର୍ମଶାସ୍ତ୍ରମାନଙ୍କରେ କୁହାଯାଇଛି ଯେ ଏହି ପକ୍ଷରେ କେତେକ ନିୟମ ପାଳନ କରାଯିବା ଉଚିତ୍ ଯାହାଫଳରେ ପିତୃପୁରୁଷ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିବେ। ଗ୍ରନ୍ଥ ଅନୁସାରେ ଶ୍ରାଦ୍ଧ ସଦୈବ ସ୍ୱଗୃହରେ ବା ନିଜ ଗୃହରେ କରାଯିବା ବିଧେୟ । ଶ୍ରାଦ୍ଧ ସମୟରେ ତରତର ହେବା ଉଚିତ୍ ନୁହେଁ । କ୍ରୋଧ କରିବା ମଧ୍ୟ ଉଚିତ୍ ନୁହେଁ କିମ୍ବା ଅପ୍ରସନ୍ନ ରହିବା ଉଚିତ୍ ନୁହେଁ। ପିତୃପୁରୁଷଙ୍କ ଋଣ ପରିଶୋଧ କରିବା ପାଇଁ ଶ୍ରଦ୍ଧାପୂର୍ବକ ଶ୍ରାଦ୍ଧ କରାଯାଇଥାଏ । ପିତୃପକ୍ଷ ୧୬ଦିନ ବୋଲି କୁହାଯାଏ । ଏହି ଦିନମାନଙ୍କ ମଧ୍ୟରେ ଯେକୌଣସି ଦିନ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଇପାରେ କିନ୍ତୁ ସବୁଦିନ ତର୍ପଣ କରାଯିବା ଶାସ୍ତ୍ରୋକ୍ତ ବିଧାନ ଅଟେ ।

ରାମଚନ୍ଦ୍ରପୁର, ରଣପୁର,
ମୋ.-୯୪୩୮୪୮୫୦୯୪

ମତାମତ ଦିଅନ୍ତୁ ।