ପୋଲିସ ବେଶରେ ଡକାୟତି ଯୋଜନା ପଣ୍ଡ, ୨ ଗିରଫ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ପରେ ଏବେ ଚୋରୀ, ଡକାୟତି, ରାଜହାନୀ ବୃଦ୍ଧି ପାଇଛି। ପୋଲିସ ପୋଷାକରେ ଡକାୟତି ଯୋଜନାକୁ ପଣ୍ଡ କରିଛି ବାଲିଗୁଡା ପୋଲିସ।
ଖବର ଅନୁଯାୟୀ ଶୁକ୍ରବାର ବାଲିଗୁଡ଼ା ପୋଲିସ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ବେଳେ ସିନ୍ଦିରି ଗାଁ ଖଡ଼ଗନଦୀ ପୋଲ ନିକଟ ଏକ ଅନ୍ଧାରୁଆ ସ୍ଥାନରେ କିଛି ସନ୍ଦିଗ୍ଧ ଲୁଚି ରହିଥିବା ଦେଖିବାକୁ ପାଇଥିଲେ। ପୋଲିସକୁ ଦେଖି ଦୌଡ଼ି ପଳାଇବାରୁ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ପୋଲିସ୍ କାବୁ କରିଥିବା ବେଳେ ତିନିଜଣ ଖସି ଯାଇଥିବା ସୂଚନା ମିଳିଛି। ଗିରଫ ଦୁଇଜଣ ପୋଲିସ୍ ଏଏସ୍ ଆଇ ପୋଷାକ ପିନ୍ଧି ସ୍ଥାନୀୟ ଦୁର୍ବୃତ୍ତଙ୍କ ସହ ମିଶି ସେହି ରାସ୍ତା ଦେଇ ଯାଉଥିବା ଗାଡ଼ି ଓ ଲୋକମାନଙ୍କ ଠାରୁ ଡକାୟତି କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ ବୋଲି ଜଣାପଡିଛି।
ଗିରଫ ଦୁଇ ନକଲି ପୋଲିସଙ୍କ ନିକଟରୁ ଗୋଟିଏ ମାରୁତି ସୁଇଫ୍ଟ ଡିଜାଏର କାର, ଲୁହା ରଡ୍, ଦୁଇଟି ବେତ ଲାଠି, ଖେଳଣା ପିସ୍ତଲ୍, ସାତୋଟି ପୋଲିସ୍ ଟୋପି ଓ ବିଭିନ୍ନ ମାରଣାସ୍ତ୍ର ଜବତ୍ ହୋଇଛି।