ପୋଲିସ ନିର୍ଯାତନା ପାଇଁ କଳାକାର ଆତ୍ମହତ୍ୟା କରିଥିବା ଅଭିଯୋଗ

ସାଲେପୁର : ପୋଲିସର ନିର୍ଯାତନା ପାଇଁ ରଶି ଲଗାଇ ଆତ୍ମହତ୍ୟା। କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଆଜି ଏପରି ଅଭିଯୋଗ କରାଯାଇଛି। ଏହି ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ମାହାଙ୍ଗା-କଟିକଟା ରାସ୍ତା ଅବରୋଧ କରିଥିଲେ।

ଖବର ଅନୁଯାୟୀ ନଈଗୁଆଁର କଳାକାର ସାହୁଙ୍କ ନାବାଳିକା ଝିଅର ସାଙ୍ଗ ଜଣେ ନାବାଳିକା ୩ଦିନ ତଳେ କେଉଁଆଡ଼େ ପଳାଇ ଯାଇଛନ୍ତି। ନାବାଳିକାଙ୍କ ପରିବାର ଏନେଇ ଫାଣ୍ଡିରେ ଅଭିଯୋଗ କରିବାରୁ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଫୋନ୍‌ ଟ୍ୟାପିଂରୁ କଳାକାର ସାହୁଙ୍କ ଫୋନରୁ ତାଙ୍କ ଝିଅ ଫେରାର ଥିବା ନାବାଳିକା ସହିତ କଥା ହେଉଥିବା ପୋଲିସ ଜାଣିବାକୁ ପାଇଥିଲା। ପରେ ପୋଲିସ କଳାକାର ଓ ତାଙ୍କ ଝିଅକୁ ଫାଣ୍ଡିକୁ ଡାକି ବାରମ୍ବାର ପଚରାଉଚରା କରିଥିଲା। କିନ୍ତୁ ଉଭୟଙ୍କୁ ପୋଲିସ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା କଳାକାରଙ୍କ ପତ୍ନୀ କହିଛନ୍ତି। ସେଥିପାଇଁ କଳାକାର ଆଜି ବିଲ ମଝିରେ ଥିବା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି।

ମୃତକର ପତ୍ନୀ ମଧ୍ୟ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଲୋକେ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗାଁ ଲୋକଙ୍କ ସହିତ ଆଲୋଚନା କରି କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛି।

Leave a Reply

Your email address will not be published. Required fields are marked *

Back to top button