ପୋଷ୍ଟ ଅଫିସ୍ରେ ଟଙ୍କା ଜମା ଓ ଉଠାଣ ନିୟମ ବଦଳିଲା

ନୂଆଦିଲ୍ଲୀ : ପୋଷ୍ଟ ଅଫିସ୍ ସେଭିଙ୍ଗ ଆକାଉଣ୍ଟ ନିୟମରେ ପରିବର୍ତ୍ତନ ଏପ୍ରିଲ ୧ରୁ ଲାଗୁ ହୋଇଛି। ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଟଙ୍କା ଜମା, ଉଠାଣ ଓ ଆଧାର ଆଧାରିତ ପେମେଣ୍ଟ ସିଷ୍ଟମ ଉପରେ ଚାର୍ଜ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏବେ ଟଙ୍କା ଜମା ଓ ଉଠାଣ ପାଇଁ ଚାର୍ଜ ଦେବାକୁ ପଡିବ।
ନୂଆ ନିୟମ ଅନୁଯାୟୀ ବେସିକ୍ ସେଭିଙ୍ଗସ ଆକାଉଣ୍ଟଧାରୀ ୪ ଥର ଟଙ୍କା ଉଠାଇଲେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଏହାଠାରୁ ଅଧିକ ଥର ଟଙ୍କା ଉଠାଣ ପାଇଁ ୨୫ ଟଙ୍କା କିମ୍ବା ୦.୫ ପ୍ରତିଶତ ଚାର୍ଜ ଦେବାକୁ ପଡିବ। ଟଙ୍କା ଜମା କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।
ସେହିପରି ସେଭିଙ୍ଗ୍ସ ଓ କରେଣ୍ଟ ଆକାଉଣ୍ଟ ଥିଲେ ପ୍ରତି ମାସରେ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ। ଅଧିକ ଟଙ୍କା ଉଠାଇଲେ ପ୍ରତି ଥର ୨୫ ଟଙ୍କା ଶୁଳ୍କ ଦେବାକୁ ପଡିବ। ଏହି ଆକାଉଣ୍ଟ ପାଇଁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କଲେ କୌଣସି ଚାର୍ଜ ଲାଗିବ ନାହିଁ। ଅଧିକ ଜମା କଲେ ପ୍ରତି ଜମା ପିଛା ଅତି କମରେ ୨୫ ଟଙ୍କା ଚାର୍ଜ ଦେବାକୁ ପଡିବ।
ଆଇପିପିବି ନେଟ୍ଓ୍ଵର୍କ ଉପରେ ଅସୀମିତ ମାଗଣାରେ ନେଣଦେଣ କରାଯାଏ। ମାତ୍ର ନନ ଆଇପିପିବି ପାଇଁ କେବଳ ତିନିଥର ମାଗଣାରେ ନେଣଦେଣ କରାଯାଇ ପାରିବ। ଏହି ନିୟମ ମିନି ଷ୍ଟେଟମେଣ୍ଟ, ଟଙ୍କା ଉଠାଣ ଓ ଟଙ୍କା ଜମା କରିବା ପାଇଁ ଉଦ୍ଦିଷ୍ଟ। AePSରେ ଫ୍ରି ଲିମିଟ୍ ସମାପ୍ତ ହେବା ପରେ ପ୍ରତି ଟ୍ରାଞ୍ଜେକ୍ସନ ଉପରେ ୨୦ ଟଙ୍କା ଚାର୍ଜ ଲାଗିବ।