ପ୍ରଧାନମନ୍ତ୍ରୀଙ୍କ ନାଁରେ ଜାଲ ଟ୍ରଷ୍ଟକରି ଠକେଇ ଉଦ୍ୟମ, ୪ ଗିରଫ

ବନାରସ : ପ୍ରଧାନମନ୍ତ୍ରୀଙ୍କ ନାମରେ ଆଦର୍ଶ ନରେନ୍ଦ୍ର ଦାମୋଦର ଦାସ ମୋଦି ଜନକଲ୍ୟାଣକାରୀ ଟ୍ରଷ୍ଟ ଗଠନ କରି ଠକେଇ କରୁଥିବା ୪ ଜଣ ଗିରଫ। ଏହି ଟ୍ରଷ୍ଟକୁ ନିବନ୍ଧକଙ୍କ କାର୍ଯ୍ୟାଳୟରେ ପଞ୍ଜିକରଣ କରାଯାଇଥିଲା। ଠକେଇ ଜଣାପଡିବା ପରେ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ମାମଲା ରୁଜୁ କରି ଟ୍ରଷ୍ଟର ସଂସ୍ଥାପକ ତଥା ଅଧ୍ୟକ୍ଷ କବୀର ନଗର ଦୁର୍ଗାକୁଣ୍ଡର ଅଜୟ ପାଣ୍ଡେୟ, ତାଙ୍କ କାକା ରବିନ୍ଦ୍ର ନାଥ ପାଣ୍ଡେୟ, ସାଥୀ ଶାହାବାଜ ଖାନ ଓ ଅନ୍ୟଜଣକୁ ଗିରଫ କରିଛି। ଶାହାବାଜ ଓ ରବିନ୍ଦ୍ର ସାମ୍ବାଦିକତା କରୁଥିବା ବେଳେ ଅନ୍ୟମାନଙ୍କ ସମ୍ପର୍କରେ ସୂଚନା ମିଳିପାରି ନାହିଁ।

ଉପ ନିବନ୍ଧକଙ୍କ ସୂଚନା ଅନୁଯାୟୀ କବୀର ନଗର ଦୁର୍ଗାକୁଣ୍ଡର ଅଜୟ ପାଣ୍ଡେୟ ଗତ ଜୁଲାଇ ୧୪ ତାରିଖରେ ନକଲି କାଗଜ ପତ୍ରରେ ପ୍ରଧାନମନ୍ତ୍ରୀଙ୍କ ନାମରେ ଟ୍ରଷ୍ଟ ପଞ୍ଜିକରଣ କରାଇଥିଲା। ଏଥିଲାଗି ସେ ମେ’ ମାସରେ ଆବେଦନ କରିଥିଲେ। ଟ୍ରଷ୍ଟ ପଞ୍ଜିକରଣ ହେବା ପରେ ଅଜୟ ପାଣ୍ଡେୟ ଟ୍ରଷ୍ଟର ଏକ ଲେଟର ହେଡ ତିଆରି କରିଥିଲେ। ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିଲା। ଅଜୟ ଏହାକୁ ବ୍ୟବହାର କରି ଜୁଲାଇ ୨୪ ଓ ଜୁଲାଇ ୩୧ ତାରିଖରେ ବନାରସ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦୁଇଟି ପତ୍ର ଲେଖିଥିଲେ। ଟ୍ରଷ୍ଟ ଅଧିନରେ ଆଦର୍ଶ ନରେନ୍ଦ୍ର ଦାସ ମୋଦି ଅନ୍ତରାଷ୍ଟ୍ରୀୟ ବିଶ୍ୱ ବିଦ୍ୟାଳୟ ସ୍ଥାପନା ପାଇଁ ବାରଣାସୀ ସହରର କୌଣସି ସ୍ଥାନରେ ୧୯୦ ବିଘା ଭୂମି ଚିହ୍ନଟ ଓ ଆବଣ୍ଟନ ନିମନ୍ତେ ନିବେଦନ କରିଥିଲେ।

ଜୁଲାଇ ୨୯ ତାରିଖରେ ସେ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଆଉ ଏକ ପତ୍ର ଲେଖି ଭୂମି ପ୍ରଦାନ ସମେତ ବିଶ୍ୱାବିଦ୍ୟାଳୟ ନିର୍ମାଣରେ ସହାୟତା ଲାଗି ନିବେଦନ କରିଥିଲେ। ଟ୍ରଷ୍ଟ ନେଇ ସନ୍ଦେହ ହେବାରୁ ମାଜିଷ୍ଟ୍ରେଟ୍ ତଦନ୍ତ କରିବାକୁ ସବରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରୁ ଜଣାପଡିଲା ଅଜୟ ପ୍ରଧାନମନ୍ତ୍ରୀଙ୍କ ନାମରେ ଠକେଇ କରୁଛି। ଟ୍ରଷ୍ଟର ସଦସ୍ୟମାନେ ବିଧାୟକ ଓ ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ନିମନ୍ତେ ନିବେଦନ କରିଛନ୍ତି।

ମତାମତ ଦିଅନ୍ତୁ ।