ପ୍ରାକ୍‌ ଆକଳନ : ଉତ୍ତର ଓଡ଼ିଶା ଓ ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଉତ୍ତର ଓଡ଼ିଶା ଓ ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରାକ୍‌ ଆକଳନ କରାଯାଇଥିବା ବେଳେ ବାତ୍ୟାର ଗତି, ବେଗ ଓ ତୀବ୍ରତା କେତେ ରହିବ ସେ ସମ୍ପର୍କରେ କୁହାଯାଇନାହିଁ।

ଶୁକ୍ରବାର ସମ୍ଭାବ୍ୟ ବାତ୍ୟାକୁ ନେଇ ହୋଇଥିବା ପ୍ରସ୍ତୁତି ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଆଇଏମ୍‌ଡି ଓ ଏନ୍‌ଡିଏମ୍‌ଏ ସହିତ ବୈଠକ ହୋଇଛି। କରାଯାଇଥିବା ଆକଳନ ଅନୁଯାୟୀ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୩ ତାରିଖରେ ଏହା ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ଥିବା ବେଳେ ୨୪ ତାରିଖରେ ବାତ୍ୟାର ରୂପ ନେଇପାରେ। ୨୬ ତାରିଖ ବେଳକୁ ଏହା ସ୍ଥଳଭାଗ ମୁହାଁ ହୋଇ ଉତ୍ତର ଓଡ଼ିଶା ଓ ସୁନ୍ଦରବନ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି। ତେବେ ବାତ୍ୟାର ଗତିପଥ କ’ଣ ରହିବ, ପବନର ବେଗ ଓ କେତେ ବର୍ଷା ହେବ ଆଇଏମ୍‌ଡି ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ଏନେଇ ଆକଳନ ଚାଲିଛି। ତେଣୁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆମେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରି ଦେଲୁଣି।

ଶ୍ରୀ ଜେନା କହିଛନ୍ତି ଓଡ୍ରାଫ, ଅଗ୍ନିଶମ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ପଠାଯାଉଛି। ଗୁଜରାଟ ଯାଇଥିବା ଏନ୍‌ଡିଆର୍‌ଏଫ୍‌ର ୫ଟି ଟିମ୍‌ ଆଜି ଫେରିବ। ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଛଡ଼ା ଯାଉନି। ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନେ ଫେରିଆସିବେ। ସମୁଦ୍ରରେ ଥିବା ମାଛଧରା ବୋଟ୍ କୋଷ୍ଟଗାର୍ଡ ଫେରାଇ ଆଣୁଛି। ଏହାଛଡା ହାଇମାସ୍କ ଲାଇଟ୍ ତଳକୁ ଖସାଇ ଅଣାଯିବ। ବିଜ୍ଞାପନ ପାଇଁ ଲାଗିଥିବା ବିଭିନ୍ନ ହୋର୍ଡିଂ ଓ ବୋର୍ଡ ଖୋଲି ଦେବାକୁ କୁହାଯାଇଛି। ୨୪ ତାରିଖ ସୁଦ୍ଧା ସେଗୁଡ଼ିକୁ ନଖୋଲିଲେ ପୌର କର୍ମଚାରୀ ଜୋର୍ କରି ଖୋଲି ଦେବେ।

ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଳ ସମ୍ପଦ- ଏହି ତିନି ବିଭାଗର ସମନ୍ୱୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ। ଗୋଟିଏ ଟୋଲ ଫ୍ରି ନମ୍ବର ଜାରି କରାଯିବ। ଅସୁବିଧା ସମ୍ପର୍କରେ ଲୋକେ ସେହି ନମ୍ବରରେ ଲୋକେ ଜଣାଇ ପାରିବେ। ସେ କହିଛନ୍ତି ଖରା ଦିନେ ବାତ୍ୟା ଆସୁଥିବାରୁ ବନ୍ୟା ସ୍ଥିତି ଉପଜିବ ନାହିଁ। କେବଳ ଫ୍ଲାସ୍ ଫ୍ଲଡ଼ ସ୍ଥିତି ଆସିପାରେ। ସେଥିପାଇଁ ବିଭିନ୍ନ ନଦୀ ବନ୍ଧରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ।

Leave a Reply

Your email address will not be published. Required fields are marked *

Back to top button