ପ୍ରଫେସର ଦୀପକ ବେହେରା କିସ୍‍ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍‍ ତଥା ନୃତତ୍ତ୍ୱବିତ୍‍ ଓ ଦକ୍ଷ ପ୍ରଶାସକ ପ୍ରଫେସର ଦୀପକ କୁମାର ବେହେରା କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇଛନ୍ତି। କିସ୍‍ ଓ କିଟ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଉଭୟ କିଟ୍‍ ଓ କିସ୍‍ ବିଶ୍ୱବିଦ୍ୟାଳୟର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ମଙ୍ଗଳବାର ପ୍ରଫେସର ବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

କିସ୍‍ ବିଶ୍ୱବିଦ୍ୟାଳୟରେ ଯୋଗଦାନ ପୂର୍ବରୁ ପ୍ରଫେସର ବେହେରା ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବା ସହ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେବାର ଗୌରବ ଅର୍ଜ୍ଜନ କରିଥିଲେ। କାଲିଫର୍ଣ୍ଣିଆ ଷ୍ଟେଟ୍‍ ୟୁନିଭରସିଟିରେ ଫୁଲବ୍ରାଇଟ୍‍ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରିଥିବା ପ୍ରଫେସର ବେହେରା ନୃତତ୍ତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ଭାରତରେ ସାଂସ୍କୃତିକ ନୃତତ୍ତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ପ୍ରଫେସର ବେହେରାଙ୍କୁ କୋଲକାତାସ୍ଥିତ ଏସିଆଟିକ୍‍ ସୋସାଇଟି ପକ୍ଷରୁ ସମ୍ମାନଜନକ ଶରତ ଚନ୍ଦ୍ର ରାୟ ସ୍ମାରକୀ ସୂର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ପ୍ରଫେସର ବେହେରାଙ୍କ ୧୨୦ରୁ ଊର୍ଦ୍ଧ୍ୱ ଗବେଷଣାତ୍ମକ ସନ୍ଦର୍ଭ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଜର୍ଣ୍ଣାଲ୍‍ରେ ପ୍ରକାଶ ପାଇଛି। ସେ ମଧ୍ୟ କ୍ରମାଗତ ଭାବେ ଦୁଇଥର ବିଶ୍ୱ ନୃତତ୍ତ୍ୱ ସଂଘ (ଇଣ୍ଟରନ୍ୟାସନାଲ୍‍ ୟୁନିୟନ୍‍ ଅଫ୍‍ ଆନ୍‍ଥ୍ରୋପୋଲୋଜିକାଲ୍‍ ଆଣ୍ଡ ଇଥନୋଲୋଜିକାଲ୍‍ ସାଇନ୍‍ସେସ୍‍, ଆଇୟୁଏଇଏସ)ର କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରିବାର ଗୌରବ ଅର୍ଜ୍ଜନ କରିଥିଲେ।

ପ୍ରଫେସର ବେହେରା ହେଉଛନ୍ତି ଆଇୟୁଏଇଏସ୍‍ ଇଣ୍ଟରନ୍ୟାସନାଲ୍‍ କମିଶନ୍‍ ଅନ୍‍ ଆନ୍‍ଥ୍ରୋପୋଲୋଜି ଅଫ୍‍ ଚିଲ୍‍ଡ୍ରେନ୍‍, ୟୁଥ୍‍ ଆଣ୍ଡ ଚାଇଲଡ୍‍ହୁଡ୍‍ର ପ୍ରତିଷ୍ଠାତା ଅଧ୍ୟକ୍ଷ। କିସ୍‍ ବିଶ୍ୱବିଦ୍ୟାଳୟରେ ଯୋଗଦେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଫେସର ବେହେରାଙ୍କୁ ଅଭିନନ୍ଦନ ଜଣାଇବା ସହ କିସ୍‍ ଭଗବାନଙ୍କ ଏକ ଅନବଦ୍ୟ କୃତି ବୋଲି କହିଛନ୍ତି। ଈଶ୍ୱରଙ୍କ ଆଶୀର୍ବାଦରେ କିସ୍‍ ପରିଚାଳନା ହେଉଛି ଏବଂ ବିନାଦେୟରେ ରହିବା, ଖାଇବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସହ ୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ବିଶ୍ୱର ଏକମାତ୍ର ଜନଜାତି ବିଶ୍ୱବିଦ୍ୟାଳୟ ହେଉଛି କିସ୍‍। ଆଗାମୀ ଦିନରେ କିସ୍‍ ବିଶ୍ୱର ଏକ ବିରଳ ଅନୁଷ୍ଠାନର ମାନ୍ୟତା ପାଇବ ବୋଲି ଶ୍ରୀ ସାମନ୍ତ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ଜଣେ ବିଶିଷ୍ଟ ଶିକ୍ଷାବିତ୍‍ କିସ୍‍ ବିଶ୍‍ବିଦ୍ୟାଳୟର ଉପକୁଳପତି ଓ ବିଶ୍ୱରେ ବେଶ୍‍ ନାମ କମେଇ ଥିବା ଜଣେ ଓଡିଆ ବ୍ୟକ୍ତି କିସ୍‍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଭାବେ ଯୋଗ ଦେଉଥିବା ଶ୍ରୀ ସାମନ୍ତ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button