ପ୍ରଥମ ଓ ଦ୍ଵିତୀୟ ସ୍ୱାମୀଙ୍କୁ ଠକି ତୃତୀୟଙ୍କ ସହ ବିଦେଶ ପଳାଇଲେ ମହିଳା

ରାଞ୍ଚି : ସୁନ୍ଦରୀ ଯୁବତୀଙ୍କୁ ବିବାହ କରି ଠକାମୀର ଶିକାର ହୋଇଛନ୍ତି ଦୁଇ ଯୁବକ। ଏମାନକୁ ଠକିବା ପରେ ମହିଳା ଜଣକ ତୃତୀୟ ବିବାହ କରି ବିଦେଶକୁ ଚାଲିଯାଇଥିବା ଜଣାପଡିଛି। ଏହି ବିଷୟ ଝାଡଖଣ୍ଡର ଚତରାରେ ଏବେ ଚର୍ଚ୍ଚାରେ ରହିଛି।

ଖବର ଅନୁଯାୟୀ ଏହି ଠକ ମହିଳାଙ୍କ ନାମ ପ୍ରିୟଙ୍କା କୁମାରୀ। ଅନଲାଇନରେ ସମ୍ପର୍କ ଯୋଡି ସେ ଦୁଇଜଣ ଯୁବକଙ୍କୁ ଧୋକା ଦେଇଛି। ବାହାହୋଇ ଲୁଟିଛି ଲକ୍ଷ ଲକ୍ଷ ଟଙ୍କା। କୁହାଯାଉଛି ପ୍ରିୟଙ୍କା ଅନଲାଇନ୍ ବିବାହ ଓ୍ୱେବସାଇଟରେ ପ୍ରଥମେ ନିଲୟ କୁମାର ନାମକ ଯୁବକଙ୍କୁ ଫସାଇଥିଲେ। ଉଭୟଙ୍କର ବିବାହ ରାଞ୍ଚିରେ ହୋଇଥିଲା। ଦୁଇବର୍ଷ ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ହେବାରୁ ପ୍ରିୟଙ୍କା ନିଲୟଙ୍କ ଠାରୁ କୋଟିଏ ଟଙ୍କା ନେଇ ଫେରାର ହୋଇଯାଇଥିଲା।

ଏହାର କିଛିଦିନ ପରେ ପ୍ରିୟଙ୍କା ଅନଲାଇନରେ ଗୁଜୁରାଟର ଅମିତ ମୋଦୀ ନାମକ ଜଣେ ଯୁବକଙ୍କୁ ଫସାଇଥିଲେ। ତାଙ୍କୁ ଫସାଇବା ପାଇଁ ପ୍ରିୟଙ୍କା ନିଜକୁ ଅବିବାହିତ କହିଥିଲେ। ଉଭୟଙ୍କର ବିବାହ ହେଲା। ବିବାହ ପରେ ବାହାନା କରି ପ୍ରିୟଙ୍କା ଅମିତ ଠାରୁ ହାତେଇ ନେଲା ୪୫ ଲକ୍ଷ ଟଙ୍କା। ଏହାପରେ ଦିଲ୍ଲୀ ଯିବ କହି ଗଲା ଯେ ଆଉ ଫେରିଲାନି। ଅମିତ ପରେ ଜାଣିବାକୁ ପାଇଲେ ପ୍ରିୟଙ୍କା ୨୦୧୮ ଡିସେମ୍ବର ୨୯ରେ ପୁଣେର ସୁମିତଙ୍କୁ ବିବାହ କରି କାଲିଫର୍ଣ୍ଣିଆ ଚାଲିଯାଇଛନ୍ତି।

ଏସବୁ ଘଟଣା ସାମ୍ନାକୁ ଆସିବା ପରେ ସୁମିତଙ୍କ ମାଆ ପ୍ରିୟଙ୍କାଙ୍କ ଫୋନରେ ଅମିତଙ୍କ କଲ୍ ଓ ଅମିତଙ୍କ ସହ ପ୍ରିୟଙ୍କାଙ୍କ ଫଟୋ ଦେଖି ପୁଣେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏବେ ଜଣାପଡିଛି ପ୍ରିୟଙ୍କା ପାସପୋର୍ଟ ଅଫିସରେ ଭୁଲ ତଥ୍ୟ ଦେଇଛି।

ମତାମତ ଦିଅନ୍ତୁ ।