ପ୍ରଥମ ଥର ଏଚଆଇଭିକୁ ହରାଇଲା ମଣିଷର ରୋଗ ପ୍ରତିରୋଧକ ଶକ୍ତି

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ବିନା ଚିକିତ୍ସାରେ ଏଚଆଇଭି ରୋଗୀ ସୁସ୍ଥ ହୋଇଛି। ମଣିଷ ଶରୀରର ଇମ୍ୟୁନିଟି ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ଏହି ମାରାତ୍ମକ ଭାଇରସର ମୁକାବିଲା କରିଛି। ଏହି ଘଟଣା ଏବେ ପୃଥିବୀର ସମସ୍ତ ବୈଜ୍ଞାନିକ ଓ ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିଛି।

ମାରାତ୍ମକ ଏଚଆଇଭି ରୋଗରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସାରା ଜୀବନ ଔଷଧ ଖାଇବାକୁ ପଡେ। କିନ୍ତୁ ଏବେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ପୂର୍ବରୁ ବ୍ୟକ୍ତିଙ୍କ ଶରୀରରେ ଦୁଇଥର ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରାଯିବାରୁ ଏଚଆଇଭି ଭାଇରସ୍ ତୀବ୍ର ଭାବେ କମ୍ ହୋଇଥିଲା। ଏ କେସ୍ ସାମ୍ନାକୁ ଆସିବା ପରେ ଡାକ୍ତରମାନେ ଶରୀରରେ ୧.୫ ବିଲିଅନ୍ ଅର୍ଥାତ୍ ୧୫୦ କୋଟି କୋଶିକାର ଯାଞ୍ଚ କଲେ। ଏ ରୋଗୀର ନାମ ଦିଆଯାଇଛି ଇସି-୨। ଅଗଷ୍ଟ ୨୬ରେ ପ୍ରକାଶିତ ସାଇନ୍ସ ମାଗାଜିନ୍ ନେଚର୍ ରିପୋର୍ଟ ଅନୁସାରେ ରୋଗୀର ଶରୀରରେ ଏଚଆଇଭିର ସକ୍ରିୟ ଭାଇରସ୍ ନାହିଁ। ଏହାର ଅର୍ଥ ଏଚଆଇଭିରେ ସଂକ୍ରମିତ ରୋଗୀ ଆପେ ଆପେ ଭଲ ହୋଇଯାଇଛି।

ସେହିପରି ଇସି-୧ ନାଁରେ ଆଉ ଜଣେ ରୋଗୀଙ୍କର ୧୦୦ କୋଟି କୋଶିକାର ପରୀକ୍ଷା କରାଯାଇଥିଲା। ତାଙ୍କ ଶରୀରରୁ ମିଳିଲା କେବଳ ଗୋଟିଏ ସକ୍ରିୟ ଭାଇରସ୍। ମାତ୍ର ତାହା ଜେନେଟିକାଲି ନିଷ୍କ୍ରିୟ। ଅର୍ଥାତ୍ ଏ ଦୁଇ ଜଣଙ୍କ ଶରୀରରେ ଜେନେଟିକ୍ ଏମିତି ହୋଇଥିବାରୁ ଦୁହେଁ ଏଚଆଇଭି ସକ୍ରିୟତାକୁ ଶେଷ କରିବାରେ ସଫଳ ହୋଇଛନ୍ତି। ଏତେ ସବୁ ପରୀକ୍ଷା ପରେ ବୈଜ୍ଞାନିକମାନେ ଦୁହିଁଙ୍କ ନାଁ ଏଲିଟ୍ କଣ୍ଟେ୍ାଲ୍ (ଇସି) ରଖିଛନ୍ତି। ଇସିର ଅର୍ଥ ଯେଉଁ ଲୋକଙ୍କ ଶରୀରରେ ଏଚଆଇଭି ଅଛି ବିନା କୌଣସି ଚିକିତ୍ସା ବା ଔଷଧରେ ଭଲ ହୁଏ। ତେବେ ଏହା କିଛି ମାସକର କିମ୍ବା ବର୍ଷକର ଘଟଣା ନୁହେଁ। ଦୀର୍ଘ ସମୟ ପର୍ଯ୍ୟନ୍ତ ବିକଶିତ ହୋଇଥିବା ଇମ୍ୟୁନ ସିଷ୍ଟମ। ପୃଥିବୀରେ ୩.୫୦କୋଟି ଲୋକ ଏଚଆଇଭିରେ ସଂକ୍ରମିତ। ଏମାନଙ୍କ ମଧ୍ୟରୁ ୯୯.୫୦ ପ୍ରତିଶତ ଏମିତି ରୋଗୀ ଅଛନ୍ତି ଯେଉଁମାନଙ୍କୁ ପ୍ରତିଦିନ ଆଣ୍ଟି ରେଟ୍ରୋଭାଇରାଲ୍ ବା ଏଚଆଇଭି ଔଷଧ ଦିଆଯାଉଛି।

ମତାମତ ଦିଅନ୍ତୁ ।