ପ୍ରେମ ବିବାହ କରି ପତ୍ନୀ ଓ ଶିଶୁକୁ ଠକିଲା ଧୋକାବାଜ ସ୍ଵାମୀ

ତେଲକୋଇ : ପ୍ରେମିକରୁ ସ୍ଵାମୀ ହୋଇଥିବା ଯୁବକ ଧୋକା ଦେଲା। ଛୋଟ ଛୁଆ କଥା ଭାବିଲାନି। କକାଙ୍କ ବାହାଘରକୁ ଯାଉଛି କହି ଆସିବା ପରେ ନିଜ ଗାଁରେ କଲା ଦ୍ଵିତୀୟ ବିବାହ। ଏପରି ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଘଟିଥିବା ବେଳେ ୮ ମାସର ଛୁଆକୁ ଧରି ପ୍ରଥମ ପତ୍ନୀ ନ୍ୟାୟ ଅପେକ୍ଷାରେ ରହିଛି।

ଖବର ଅନୁଯାୟୀ ତେଲକୋଇ ହଲପୋଡ଼ି ଗ୍ରାମର ଦିଲ୍ଲୀପ ସାହୁଙ୍କ ପୁଅ ମୁକେଶ ଜାମସେଦପୁର ଟାଟାରେ ଏକ କମ୍ପାନୀରେ ଚାକିରୀ କରୁଥିଲେ। ସେଠାରେ କାମ କରୁଥିବା ଗୋରୁମହିଷାଣି ଥାନା ଡ଼ଙ୍ଗାପାଣି ଗ୍ରାମର ଲଖମଣ ନାଏକଙ୍କ ଝିଅ ପୂର୍ଣିମାଙ୍କ ସହିତ ତାଙ୍କର ଗଢି ଉଠିଥିଲା ପ୍ରେମ ସମ୍ପର୍କ। ୪ ବର୍ଷର ପ୍ରେମ ବିବାହର ରୂପନେଲା। ଦୁହେଁ ଦୁଇଜଣ ବିବାହ କରି ଟାଟାରେ ରହୁଥିଲେ। ପରେ ମୁକେଶ କେନ୍ଦୁଝର ଅଂରାଠାରେ ଥିବା ଶ୍ରୀମେଟାଲିକ ପ୍ଲାଣ୍ଟରେ ଆସି ଚାକିରି କଲେ। ପୁର୍ଣିମାଙ୍କୁ ନେଇ ସଦର ଥାନା ଅଧୀନ ମହାଦେଇ ଯୋଡ଼ା ଗାଁରେ ଘରଭଡା ନେଇ ରହିଲେ। ଇତିମଧ୍ୟରେ ଜନ୍ମନେଲା ଏକ ଏକ ପୁତ୍ର ସନ୍ତାନ।

ଗତ ଫେବୃୟାରୀ ୨ ତାରିଖରେ ମୁକେଶ ନିଜ ଗାଁ ହଲାପଡ଼ି ଆସି ଆଉ ଜଣଙ୍କୁ ବିବାହ କରିଥିଲେ। କିନ୍ତୁ ଘରକୁ ଆସିବା ପୂର୍ବରୁ ପ୍ରଥମ ପତ୍ନୀଙ୍କୁ କହିଥିଲେ କକାଙ୍କ ବାହାଘର ଅଛି। ୪-୫ ଦିନ ପରେ ଫେରିବି ଆସିବି। ଦ୍ୱିତୀୟ ବିବାହ କଥା ଜାଣିବା ପରେ ପୁର୍ଣିମା ସ୍ୱାମୀଙ୍କ ଗାଁ ହଲାପଡ଼ିରେ ପହଞ୍ଚିଥିଲେ। ସେଠାରେ ମୁକେଶ ଓ ତାଙ୍କ ବାପା ପୁର୍ଣିମାଙ୍କୁ ଧମକ ଚମକ ଦେଇ ମହାଦେଈଯୋଡ଼ାରେ ଛାଡିଦେଇ ପଳାଇଥିଲେ। ଆଉ ମୁକେଶ କହିଥିଲେ ଛୁଆ ସହିତ ବିଷ ଖାଇ ମରିଯା ନକେତ ରାସ୍ତା କଡ଼ରେ ବସି ଭିକ ମାଗ।

ସ୍ଵାମୀ ଓ ତାଙ୍କ ପରିବାର ସାହାରା ନଦେବାରୁ ପୁର୍ଣିମା ଉପାୟ ଶୂନ୍ୟ ହୋଇ ପ୍ରଥମେ ସଦର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଅଭିଯୋଗ ରଖିଲାନି। ତାଙ୍କୁ କୁହାଗଲା ତେଲକୋଇ ଥାନାରେ ଅଭିଯୋଗ କର। ସେଠାରେ ମଧ୍ୟ ସମାନ ଘଟଣା ଘଟିଲା। ଅଭିଯୋଗ ରଖିଲାନି ପୋଲିସ। ଘଟଣା ସମ୍ପର୍କରେ ଜାତୀୟ ମାନବାଧିକାର କମିଶନର ସଦସ୍ୟ ସସ୍ମିତା ଦାସ ଜାଣିବା ପରେ ହସ୍ତକ୍ଷେପ କରିଥିଲେ। ଅସହାୟ ପୁର୍ଣିମାଙ୍କୁ ନେଇ ଥାନାରେ ପହଂଚିବାରୁ ଶେଷରେ ତେଲକୋଇ ପୋଲିସ ପୁର୍ଣିମାଙ୍କ ଅଭିଯୋଗକୁ ରଖି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏବେ ପୁର୍ଣିମା ଓ କଅଁଳା ଶିଶୁକୁ ପୋଲିସ କିପରି ନ୍ୟାୟ ଦେଉଛି ତାହାକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button