ପ୍ରେମ ନିବେଦନ କରି ପାକ୍ ବିଶ୍ୱବିଦ୍ୟାଳୟରୁ ଦୁଇ ଛାତ୍ରଛାତ୍ରୀ ବହିଷ୍କୃତ

0

ନୂଆଦିଲ୍ଲୀ : ପ୍ରେମ ନିବେଦନ କରିବା ପାକିସ୍ତାନର ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେମାନଙ୍କୁ ଲାହୋର ବିଶ୍ୱବିଦ୍ୟାଳୟ ବହିଷ୍କାର କରିଛି।

ଖବର ଅନୁଯାୟୀ ଗୁରୁବାର ଭାଇରାଲ୍‌ ହୋଇଥିବା ଭିଡିଓରେ ଝିଅଟିଏ ହାତରେ ଗୋଲାପ ତୋଡ଼ା ଧରିଥିବା ଭୂଇଁରେ ଆଣ୍ଠୁମାଡ଼ି ପୁଅକୁ ପ୍ରେମ ନିବେଦନ କରୁଛି। ପୁଅଟି ଫୁଲଗୁଡ଼ିକୁ ଗ୍ରହଣ କରି ସେ ଝିଅକୁ କୋଳାଇ ନେଉଛି। ପାଖରେ ଉପସ୍ଥିତ ଅନ୍ୟ ଛାତ୍ରଛାତ୍ରୀମାନେ ପାଟି କରି ସେମାନଙ୍କୁ ଉତ୍ସାହ ଦେଉଛନ୍ତି। ଏହି ଭିଡିଓ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏହାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଦେଖିଲେ।

ଏହି ଘଟଣାକୁ ନେଇ ଶୁକ୍ରବାର ଦିନ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ଶୃଙ୍ଖଳା କମିଟି ବୈଠକ ବସିଲା। ଘଟଣା ସଂକ୍ରାନ୍ତରେ ଆଲୋଚନା ପାଇଁ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଡକାଇଥିଲେ ହେଁ ସେମାନେ ହାଜର ହେଲେ ନାହିଁ। ତେଣୁ କମିଟି ସେ ଦୁଇଜଣଙ୍କୁ ବହିଷ୍କାର ସହ ବିଶ୍ୱବିଦ୍ୟାଳୟ ପରିସର ନିଷେଧ କରିବା ଲାଗି ନିଷ୍ପତ୍ତି ନେଇଥିଲା। ଦୁହେଁ ଅଶିଷ୍ଟ ଆଚରଣରେ ଲିପ୍ତ ରହି ବିଶ୍ୱବିଦ୍ୟାଳୟ ପରିସରର ଆଚରଣବିଧି ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ବହିଷ୍କାର କରାଯାଇଥିବା ଲାହୋର ବିଶ୍ୱବିଦ୍ୟାଳୟ ଏକ ବିବୃତିରେ କହିଛି।

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ କମିଟିର ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରୁ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ କନ୍ୟା ବଖତ୍‌ଓ୍ଵାର୍‌ ଭୁଟ୍ଟୋ-ଜଦ୍ଦାରି କାର୍ଯ୍ୟାନୁଷ୍ଠାନକୁ କଟୁ ସମାଲୋଚନା କରିଛନ୍ତି। ସେହିପରି ପୂର୍ବତନ କ୍ରିକେଟ୍‌ ଖେଳାଳି ଓ୍ଵାସିମ୍‌ ଆକ୍ରମଙ୍କ ପତ୍ନୀ ଶାନିଏରା ଆକ୍ରମ୍‌ ଟୁଇଟ୍‌ କରି ଲେଖିଛନ୍ତି ଯାହା ଇଚ୍ଛା ତାହା ନିୟମ ପ୍ରଣୟନ କର, କିନ୍ତୁ ପ୍ରେମକୁ ବହିଷ୍କାର କରି ପାରିବ ନାହିଁ!

Leave A Reply

Your email address will not be published.