ପ୍ରେମକୁ ନେଇ ହତ୍ୟା : ଯୁବକକୁ ଜେସିବି ଚଢ଼ାଇ ମାରିଦେଲେ

ଭବାନୀପାଟଣା : ପ୍ରେମ ବ୍ୟାପାରକୁ ହତ୍ୟାକାଣ୍ଡ। ଯୁବକଙ୍କୁ ଜେସିବି ଚଢ଼ାଇ ମାରି ଦେଇଥିବା ଘଟଣାରେପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଜେସିବିକୁ ଜବତ କରିଛି।

ଖବର ଅନୁଯାୟୀ ଏମ୍‌.ରାମପୁର ଅଞ୍ଚଳର ରେଗଡ଼ା ଗାଁର ଶେଷଦେବ କାମ୍ପା ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଏହାକୁ ତ୍ରିଲୋଚନ ସାହୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା। ପ୍ରତିଶୋଧ ପାଇଁ ସୁଯୋଗ ଅପେକ୍ଷାରେ ଥିଲେ ତ୍ରିଲୋଚନ। ଗତ ୧୧ ତାରିଖ ଦିନ ତ୍ରିଲୋଚନ ଓ ସାଙ୍ଗ ସୁରେନ୍ଦ୍ର ସାହୁ ଶେଷଦେବଙ୍କୁ ଡ଼ାକିଥିଲେ। ଜେସିବିରେ ତିନିଜଣ ଯମୁନାପୁରର ଏକ ନିଛାଟିଆ ସ୍ଥାନକୁ ଯାଇ ମଦ ପିଇଥିଲେ। ସେଠାରେ ତ୍ରିଲୋଚନ ଓ ଶେଷଦେବଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଶେଷଦେବ ତ୍ରିଲୋଚନଙ୍କୁ ଚାପୁଡା ମାରିଥିଲେ। ଏହି ଘଟଣା ପରେ ତ୍ରିଲୋଚନ ଜେସିବି ଉପରେ ଚଢ଼ି ଯାଇ ବୁମ୍‌ (ଜେସିବି ଶୁଣ୍ଢ)ରେ ବାଡ଼େଇ ଦେବାରୁ ଶେଷଦେବ ତଳେ ପଡିଯାଇଥିଲେ। ଏହି ସମୟରେ ତାଙ୍କ ଉପରେ ଜେସିବି ଚଢ଼ାଇ ଦେଇଥିଲେ ତ୍ରିଲୋଚନ। ଆଉ ମୃତ ଦେହକୁ ସେଠାରେ ଗାତ ଖୋଳି ପୋତି ଦେଇଥିଲେ।

କଥା ଏତିକିରେ ସରିନଥିଲା। ପ୍ରମାଣ ନଷ୍ଟ କରିବାକୁ ତ୍ରିଲୋଚନ ଓ ସୁରେନ୍ଦ୍ର ସେହିଦିନ ରାତିରେ ଶେଷଦେବଙ୍କ ମୃତଦେହକୁ ଗାତରୁ ବାହାରକରି ବାଇକରେ ୪୦ କିମି ଦୂର କେସିଙ୍ଗା ରେଳଷ୍ଟେସନ୍‌ ଗୋଦାମ ପର୍ଲି ଡଙ୍ଗର ମୂଷାଘାଟି ନିକଟକୁ ନେଇ ପେଟ୍ରୋଲ୍‌ ଢ଼ାଳି ପୋଡି ଦେଇଥିଲେ। ୧୨ ତାରିଖ ସକାଳେ ସ୍ଥାନୀୟ ଲୋକେ ଦରପୋଡ଼ା ମୃତଦେହ ଦେଖି କେସିଙ୍ଗା ଥାନାକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶେଷଦେବ ନିଖୋଜ ନେଇ ତାଙ୍କ ଭାଇ ଦୁର୍ଯୋଧନ ଏମ୍‌.ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏମ୍‌.ରାମପୁର ଥାନା ଅଧିକାରୀ ଛୁଟିରେ ଥିବାରୁ ନର୍ଲା ଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରି କେସିଙ୍ଗା ପୋଲିସ ସହ ଯୋଗାଯୋଗ କରିଥିଲେ। ଉଭୟ ପୋଲିସ ଘଟଣାର ତଦନ୍ତ କରିଥିଲେ।

ଶେଷଦେବ ଭାଇଙ୍କ ବୟାନ ଆଧାରରେ ପୋଲିସ ତ୍ରିଲୋଚନ ଓ ସୁରେନ୍ଦ୍ରଙ୍କୁ ଥାନାରେ ଅଟକ ରଖି ଜେରା କରିବା ପରେ କଥା ପଦାକୁ ଆସିଛି। ଶେଷଦେବକଙ୍କୁ ମାରିଥିବା ସ୍ୱୀକାର କରିବାରୁ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *

Back to top button