ପ୍ରେମକା ବାପାର ଟାଙ୍ଗିଆ ଚୋଟରେ ପ୍ରେମିକର ଭିଣୋଇ ଗୁରୁତର

ସମ୍ବଲପୁର : ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ। ଯୁବତୀଙ୍କ ବାପର ଟାଙ୍ଗିଆ ଚୋଟରେ ପ୍ରେମିକର ଜଣେ ସମ୍ପର୍କିୟ ଗୁରୁତର ହୋଇଥିବା ବେଳେ ଆକ୍ରମଣକାରୀଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଧମା ଥାନା ବାଉଁଶେନମୁରା ଗାଁରେ ଏହି ଘଟଣା ଘଟିଥିବା ଜଣାପଡିଛି।
ଖବର ଅନୁଯାୟୀ ବାଉଁଶେନମୁରା ଗାଁର ଜଣେ ଯୁବକ ଓ ବିଶ୍ୱାମିତ୍ରଙ୍କ ଝିଅ ଏକାସାଙ୍ଗରେ ସ୍କୁଲ ଓ କଲେଜରେ ପଢୁଥିଲେ। ଏହି ସମୟରେ ଉଭୟଙ୍କ ମାଧରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିନ୍ତୁ ବିଶ୍ୱାମିତ୍ର ଏହାକୁ ଗ୍ରହଣ କରୁନଥିଲେ। ପରିବାର ସହମତି ନମିଳିବାରୁ ପ୍ରେମୀଯୁଗଳ ଗତ ଶନିବାର ଘରୁ ବାହାରି ଯାଇଥିଲେ। ଝିଅ ପ୍ରେମିକ ସାଙ୍ଗରେ ପଳାଇ ଯାଇଥିବା ଖବର ପାଇ ବିଶ୍ୱାମିତ୍ର ଯୁବକଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ପାଇନଥିଲେ। ଏହି ସମୟରେ ଯୁବକଙ୍କ ଭିଣୋଇ କୃଷ୍ଣଚନ୍ଦ୍ର ଶବର କ୍ଷେତରୁ ଘରକୁ ଫେରୁଥିବା ଦେଖି ବିଶ୍ୱାମିତ୍ର ତାଙ୍କୁ ଗାଳିଗୁଲଜ କରିବା ସହ ଟାଙ୍ଗିଆରେ ଚୋଟ ପକାଇଥିଲେ। ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏ ସମ୍ପର୍କରେ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ବିଶ୍ୱାମିତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପରେ ଗାଁରେ ଉଭୟ ପକ୍ଷକୁ ନେଇ ବୈଠକ କରାଯିବା ପରେ ପ୍ରେମୀଯୁଗଳଙ୍କ ବିବାହ ପାଇଁ ସହମତି ହୋଇଥିବା ପୋଲିସ ସୂଚନା ଦେଇଛି।